csstore

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲା ଓଡ଼ିଶା ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଓଡ଼ିଶା ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀ ମହାସଂଘ । ସ୍ଥାୟୀ ଚାକିରୀ ଦାବୀରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀ ମହାସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ଅବସ୍ଥାପିତ ଥିବା ଏହି ବର୍ଗର ଶହ ଶହ କର୍ମଚାରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି । ବିଭିନ୍ନ ପ୍ରକାର ନାରା ଦେବା ସହ ଆଉଟ୍‌ସୋର୍‌ସିଂ କର୍ମଚାରୀମାନଙ୍କୁ ସରକାର ଅବହେଳା କରୁଥିବା ନେଇ ଗର୍ଜିଛନ୍ତି ମହାସଂଘର ଉପଦେଷ୍ଟା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ସଭାପତି ରାଜେଶ ଝାଙ୍କର, ସଂପାଦକ ଚଂଚଳ ମିଶ୍ରଙ୍କ ସହ ଅନ୍ୟମାନେ । ରାଜ୍ୟ ସରକାର ଗତ ଅକ୍ଟୋବର ୧୫ ତାରିଖ ଦିନ ରାଜ୍ୟରୁ ଠିକା ନିଯୁକ୍ତି ପ୍ରତ୍ୟାହାର ଘୋଷଣା କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀମାନେ ସ୍ଥାୟୀ ଚାକିରୀ ପାଇବାରୁ ବଂଚିତ ହୋଇଛନ୍ତି । ବିଗତ ଦିନରେ ଜୋର୍‌ଦାର୍‌ ଆନ୍ଦୋଳନ ପରେ ମଧ୍ୟ ସରକାର ଆଉଟ୍‌ସୋର୍‌ସିଂ କର୍ମଚାରୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ କରିଛି ମହାସଂଘ । ତେବେ ଆଜି ୩୦ଟି ଜିଲ୍ଲାର ଜିଳ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀ ମହାସଂଘର ସଦସ୍ୟମାନେ ଧାରଣା ଦେଇଥିବା ସୂଚନାରେ କୁହାଯାଇଛି । ଯଦି ସରକାର ମହାସଂଘର ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆହୁରି ଘନଘୋର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଅବସରରେ ୧୧ ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସରକାରୀ ଆଉଟ୍‌ସୋର୍‌ସିଂ କର୍ମଚାରୀମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.