pakka

ଅଧିକାରୀଙ୍କୁ ଧରି ନରସିଂହଙ୍କ ସଦର ବ୍ଲକ ଗସ୍ତ : ପାନୀୟ ଜଳ, ବାସଗୃହ, ବିଜୁଳି ଓ ରାସ୍ତା ଉପରେ ଗୁରୁତ୍ୱ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିରେ ଲୋକେ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି । ସରକାରୀ ଅଧିକାରୀଙ୍କ ଉଦାସିନତା ହେଉ କି ଲୋକଙ୍କ ସରଳତା ହେଉ କୌଣସି ନା କୌଣସି କାରଣ ଯୋଗୁଁ ଗାଁରେ ଲୋକେ ତାଙ୍କର ହକ୍‌ ପାଇବାରୁ ବଂଚିତ ହେଉଛନ୍ତି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ବିଭିନ୍ନ ଯୋଜନାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଗାଁର ଅସଲ ଚିତ୍ର କିନ୍ତୁ ବହୁତ ଅଲଗା । ତେଣୁ ଅଧିକାରୀମାନେ ତାଙ୍କର ଅଧସ୍ଥନ ବିଭାଗୀୟ କର୍ମଚାରୀମାନଙ୍କୁ ଗାଁକୁ ଗାଁ ପଠାଇ ଗାଁର ପ୍ରକୃତ ସ୍ଥିତି ଉପରେ ସର୍ବେକ୍ଷଣ କରନ୍ତୁ ଓ ପାନୀୟ ଜଳ, ବିଜୁଳି ହେଉ କି ରୋଡ ରାସ୍ତା ହେଉ ସେ ସବୁର ବ୍ୟବସ୍ଥା ଶୀଘ୍ର କରନ୍ତୁ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଓ ଚିକଲବାହାଲ ପଂଚାୟତର ବିଭିନ୍ନ ଗାଁକୁ ବୁଲିବା ବେଳେ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ପଂଚାୟତର ଖର୍ଲିଖାନି, ଭାନପୁର, ସିନଖମନ, ଶିକାଛିଡା, ପ୍ରତାପପୁର ଏବଂ ଚିକଲବାହାଲ ପଂଚାୟତ ପରିଦର୍ଶନ କରିଥିଲେ । ଏହି କ୍ରମରେ ସେ ସମସ୍ତ ଗ୍ରାମକୁ ପାଇପ ଯୋଗେ ପିଇବା ପାଣି ବହୁତ ଶୀଘ୍ର ଘରକୁ ଘର ଦିଆଯିବ ଏବଂ ଦରକାର ସ୍ଥଳେ ବିଭିନ୍ନ ଜାଗାରେ ପିଇବା ପାଣି ପାଇଁ ଷ୍ଟେଣ୍ଡ ପୋଷ୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଅଧିକାରୀମାନଙ୍କ ସହ ଯାଇଥିବା ବ୍ଲକ ସ୍ତରୀୟ କର୍ମଚାରୀମାନେ ଯେତେ ଶୀଘ୍ର ହେବ ଏ ସମସ୍ତ ଗ୍ରାମର ଭୂମିହୀନ, ବାସହୀନମାନଙ୍କ ପାଇଁ ଦରକାର ହେଉଥିବା ଇନ୍ଦିରା ଆବାସ ପାଇଁ ତାଲିକା ପ୍ରସ୍ତୁତ କରି ସେଥିରୁ ଯୋଗ୍ୟ ହିତାଧିକାରୀ ଚୟନ କରନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ଏ ସମସ୍ତ ଗାଁ ମାନଙ୍କରେ ବୀମାଭୁକ୍ତ ଗାଈମାନଙ୍କ ପାଇଁ ଗୁହାଳ ପ୍ରଦାନ ଶୀଘ୍ର କରନ୍ତୁ ବୋଲି କହିଥିଲେ । ଲୋକଙ୍କ ଦାବୀ ମୁତାବକ ପ୍ରତାପପୁର ଠାରେ ପୋଖରୀକୁ ରାସ୍ତା ଓ ପୋଖରୀରେ ଗାଧୁଆ ତୁଠ ନିର୍ମାଣ, ଭାନପୁରରେ ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟର, ଗାଧୋଇବା ପାଇଁ ଗାଧୁଆ ତୁଠ, ପାତ୍ରମୁଣ୍ଡା ବନ୍ଧକୁ ରାସ୍ତା, ସିନଖମନରେ ଦୁଇଟି କଂକ୍ରିଟ ରାସ୍ତା, ଶିକାଛିଡା ଠାରେ ଏକ ମଣ୍ଡପ ଏବଂ ଏ ସମସ୍ତ ଅଂଚଳର ଗରିବଙ୍କ ପାଇଁ ବିଜୁଳି କନେକ୍‌ସନ କିମ୍ବା ଅନ୍ଧାରୁଆ ରୋଡ ରାସ୍ତାକୁ ବିଜୁଳି ସଂଯୋଗ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିଷ୍ପତ୍ତି ନେଇଥିଲେ । ଚିକଲବାହାଲ ଠାରେ ମହିଳାମାନଙ୍କ ଦାବୀ ମୁତାବିକ ବହୁଶୀଘ୍ର ଏକ ଓଭରହେଡ୍‌ ଟ୍ୟାଙ୍କର ନିର୍ମାଣ ଏବଂ ଘରକୁ ଘର ପିଇବା ପାଣି ସଂଯୋଗ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ଏବଂ ବହୁଦିନରୁ ଖରାପ ହୋଇ ପଡିଥିବା ଚିକଲବାହାଲ, କୁଡାସିଂହା ରାସ୍ତା ବହୁ ଶୀଘ୍ର ନିର୍ମାଣ କରିବା ପାଇଁ ଏହା ଉପରେ ଏକ ରିପୋର୍ଟ ପ୍ରଦାନ କରିବାକୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଏହି ଗସ୍ତ ସମୟରେ ବିଭିନ୍ନ ଗାଁରେ ନିର୍ମାଣ ହୋଇଥିବା ଇନ୍ଦିରା ଆବାସଗୁଡିକର ଶ୍ରମିକ ପାଉଣା ମନରେଗାରୁ ମିଳିନଥିବାର ସୂଚନା ମିଳିଥିଲା । ଯାହାକି ବିଧାୟକ ଶ୍ରୀ ମିଶ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ଦୂର କରିବେ ବୋଲି କହିଥିଲେ । ବିଭିନ୍ନ ଗାଁରେ ଥିବା ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ସାମାଜିକ ସୁରକ୍ଷା ଅଧିକାରୀ ବହୁତ ଶୀଘ୍ର ଗାଁକୁ ଆସି ସେ ସବୁର ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଥିଲେ । ଏହି ଗସ୍ତ ସମୟରେ ବିଡିଓ ପ୍ରିତମ କୁମାର ତନ୍ତି, ଏବିଡିଓ ରାମଦତ୍ତ ଭୋଇ, କନିଷ୍ଠ ଯନ୍ତ୍ରୀ ସଂଜୟ ସାହୁ, ସରପଞ୍ଚ ସରୋଜ ଦୋରା, ବିଧାୟକ ପ୍ରତିନିଧି କିଶୋର ସିଂନିନା ଏବଂ ରାମ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 1 =