ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ନେଇ ଆଲୋଚନା କଲେ ନରସିଂହ

  • ନିମ୍ନମାନ କାମର ବିଭାଗୀୟ ତଦନ୍ତ ହେବ – ନରସିଂହ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଉଭୟ ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏବଂ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଧେଶକଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ବୈଠକରେ ବିଶେଷକରି ଉନ୍ନୟନ କାମ ପାଇଁ ବ୍ଲକକୁ ଆସିଥିବା ବିଭିନ୍ନ ପାଣ୍ଠି ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଉଭୟ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀମାନଙ୍କୁ ୨୦୧୪ ମସିହାରୁ ଉଭୟ ବ୍ଲକକୁ ଆସିଥିବା ବିଭିନ୍ନ ପାଣ୍ଠି ଯଥା ସ୍ପେସାଲ ପ୍ରୋବ୍ଲେମ ଫଣ୍ଡ, ବିଆରଜିଏଫ୍‌, ବିଜୁ କେବିକେ, ଆଇଏପି ଯୋଜନା ମାଧ୍ୟମରେ କେତେ ଟଙ୍କା ଆସିଛି, କଣ କଣ କାମ ହୋଇଛି, କେତେ ପରିମାଣର କାମ ବାକି ଅଛି । ସେ ସବୁର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଯେତେ ଶୀଘ୍ର ହେବ ମାକରଚୁଆଁ, ଅଇଲାଚୁଆଁ, ଜରାସିଂହା, ନାରାୟଣପୁରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଗାଇ ଓ ଛେଳିଙ୍କ ଗୁହାଳ, ମାକରଚୁଆଁରେ ନରେଗା ଯୋଜନା ମାଧ୍ୟମରେ ଲୋକଙ୍କୁ ମାଟିକାମ ଯୋଗାଇ ଦେବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ବ୍ଲକ ସ୍ଥିତ ରିନବଚନ ଠାରେ କଲ୍ୟାଣ ମଣ୍ଡପ ତଥା ଅନ୍ୟ ଏକ ପ୍ରକଳ୍ପ, ବିରମୁଣ୍ଡା – ବକ୍ସିଉଡାର ରାସ୍ତା କାମ ଅତି ନିମ୍ନ ମାନର ହୋଇଛି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଏଣୁ ଏହାର ଏକ ବିଭାଗୀୟ ତଦନ୍ତ କରିବାକୁ ଉପସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ଉଭୟ ବ୍ଲକରେ ଯଦି କୌଣସି ଉନ୍ନୟନ ମୂଳକ କାମ ଯେପରି ନିମ୍ନମାନର ନହୁଏ ତାର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ଦେଓଗାଁ ବ୍ଲକର ଜରାସିଂହା, ସାଲେପାଲି ଓ ବରକାନି ଗ୍ରାମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ତଥା ମଞ୍ଜୁରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଅଗ୍ରାଧିକାର ଭିତ୍ତିରେ ସମାପ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଗାମୀ କିଛି ମାସ ପରେ ପଂଚାୟତମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିବାରୁ ଗାଁମାନଙ୍କୁ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।
Leave A Reply

Your email address will not be published.

five × three =