ବନ୍ଦେ ଉତ୍କଳ ଜନନୀ ପାଠ୍ୟ ପୁସ୍ତକରେ ସାମିଲ ପ୍ରସଙ୍ଗ : ସରକାରୀ ନିଷ୍ପତ୍ତି ବିରୁଦ୍ଧରେ କୋସଲ ରାଜ୍ୟ ସମନ୍ୱୟ ସମିତିର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟୀର ନିଷ୍ପତ୍ତି କ୍ରମେ ଆଜି ସମଗ୍ର କୋସଳାଞ୍ଚଳରେ ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନୀତ କରିବା ନିଷ୍ପତ୍ତି ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଛି । ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା ଶିକ୍ଷାଧିଶଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷାଧିକାରୀଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବୀ ପତ୍ରରେ ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନୀତ ନ କରିବାକୁ ଅନୁରୋଧ କରାଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଅନେକ ସାମାଜିକ ସଂଗଠନର କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କୋଭିଡ୍ କଟକଣାକୁ ଆଖି ଆଗରେ ରଖି ପ୍ରତିକାତ୍ମକ ଭାବେ ପାଳିତ ହୋଇଥିବା ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ କୋସଲ ରାଜ୍ୟ ସମନ୍ୱୟ ସମିତି ସହ ସମ୍ବନ୍ଧିତ ବଲାଙ୍ଗିର ଏକ୍ସନ କମିଟି, ଅବସରପ୍ରାପ୍ତ ସୈନିକ ସଂଘ, ନାଗରିକ କମିଟି, ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚ, ପଶ୍ଚିମ ଓଡିଶା ମଂଚ, ବରିଷ୍ଠ ନାଗରିକ ମଂଚ ଆଦିର ପ୍ରତିନିଧିମାନେ ଯୋଗ ଦେଇଥିଲେ । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ଜୋନାଲ ସଂପାଦକ ଶରତ ହୋତା, କୋସଲବାଦୀ ନେତା ରଣରାଜ ସିଂଦେଓ, ଶ୍ରମିକ ନେତା ରବି ମିଶ୍ର, ଜ୍ୟୋତି ରଂଜନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରତାପ ଚନ୍ଦ୍ର ରଥ, ଯୁବ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ରିଲୁ ରଥ, ଉପସଭାପତି ବିନୋଦ କାଲସାଏ, ସଂଗଠକ ମନୋରଂଜନ ମିଶ୍ର, ପ୍ରଭାକର ମିଶ୍ର, ବ୍ରଜବନ୍ଧୁ ବାଗ, ପ୍ରଶାନ୍ତ ବାଗ, ଯଦୁ ମଲ୍ଲିକ, ରାଧୁ ଦୀପ, ଅଭିଷେକ ଦାଶ, ଗୋପବନ୍ଧୁ ପଟେଲ, ରମ୍ୟ ରଂଜନ ସାହୁ, ରିକୁନ ମିଶ୍ର, ଅଭିନାଶ ଦାଶ, ସମୀର ଦାଶ, ସଂଜୟ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଧୁନିକ ଓଡିଶା ପ୍ରାକ୍ତନ କୋସଲ, ଉତ୍କଳ ଓ କଳିଙ୍ଗକୁ ନେଇ ଗଠିତ । ବନ୍ଦେ ଉତ୍କଳ ଜନନୀ ଉତ୍କଳ ଅଂଚଳର ଏକ ଆଂଚଳିକ ସଂଗୀତ । ସମଗ୍ର ଓଡିଶାରେ ତାହା ଗ୍ରହଣୀୟ ନୁହେଁ । କିନ୍ତୁ କରୋନା କଟକଣାର ସୁଯୋଗ ନେଇ ପ୍ରଥମ ଲହରୀ ସମୟରେ ଉପକୂଳବାଦୀ ରାଜ୍ୟ ସରକାର ବେଆଇନ ଭାବରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମର୍ଯ୍ୟାଦା ଦେଇଦେଲେ ଏବଂ କରୋନା ଦ୍ୱିତୀୟ ଲହରୀ ସଂକ୍ରମଣର ସୁଯୋଗ ନେଇ ଏହାକୁ ରାଜ୍ୟ ଶିକ୍ଷା ପାଠ୍ୟକ୍ରମରେ ମଧ୍ୟ ସାମିଲ କରିଦେଲେ । ସରକାରଙ୍କ ଏଭଳି ଏକତରଫା ନିଷ୍ପତ୍ତି କୋସଲାଂଚଳର ଦୁଇ କୋଟି ଲୋକଙ୍କ ହୃଦୟରେ ଚରମ ଆଘାତ ସୃଷ୍ଟି କରିବା ସହ ଏ ଅଂଚଳର ସ୍ୱାଭିମାନ ପ୍ରତି କୁଠାରପାତ କରିଛି । ଏଣୁ ଅଂଚଳବାସୀଙ୍କ ନ୍ୟାର୍ଯ୍ୟଦାବୀକୁ କୋସଲ ରାଜ୍ୟ ସମନ୍ୱୟ ସମିତି ଏ ପ୍ରସଙ୍ଗକୁ ନେଇ ଲମ୍ବା ଲଢେଇ କରିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛି ।

Leave A Reply

Your email address will not be published.

15 + fifteen =