ମମିତା ହତ୍ୟାକାଣ୍ଡକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ପ୍ରମାଣ ନଷ୍ଟ ସହ ତଦନ୍ତ ବାଟବଣା ହେଉଥିବା ଆଶଂକା କଲେ

  • ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ଭବିଷ୍ୟତ ପାଇଁ କଲେଜକୁ ହାତକୁ ନେଉ ସରକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ବିଦାୟକଦଳ ନେତା ତଥା ବଲାଙ୍‌ଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍‌ମ୍ବାଦିକ ସମ୍‌ମ୍ମିଲନୀରେ ପ୍ରମାଣ ନଷ୍ଟ ସହ ତଦନ୍ତ ବାଟବଣା ହେଉଥିବା ଆଶଂକା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ପ୍ରମାଣ ନଷ୍ଟ ସହ ତଦନ୍ତ ବାଟବଣା ହେଉଥିବା ଆଶଙ୍କା ପ୍ରକାଶ ପାଇଛି । ପୋଲିସର ଅପାରଗତା ଯୋଗୁଁ, ଏହି ସୁପରିକଳ୍ପିତ ହତ୍ୟାକାଣ୍ଡର ଯାହା କିଛି ବି ପ୍ରମାଣ ବଞ୍ଚିଛି, ତାହା ମଧ୍ୟ ଧିରେ ଧିରେ ସବୁ ନଷ୍ଟ ହେବାକୁ ଯାଉଛି । ଆହୁରି, ଏହି ଘଟଣାରେ ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ପୋଲିସର ଏହି ଅପାରଗତା ପାଇଁ ଦାୟୀ ବୋଲି ଅଭିଯୋଗ ହେବା ସହ ଅଭିଯୁକ୍ତ ଓ ସହେଯାଗୀ ଖସିଯିବା ଆଶଙ୍କା ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ସରକାର ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କିପରି ଆଇନ ବଳରେ ଦଣ୍ଡିତ କରି ପିଡିତାକୁ ନ୍ୟାୟ ଓ ନାରୀକୂଳଙ୍କୁ ସୁରକ୍ଷା ଯୋଗାଇ ଦେବ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉତ୍ତର ଦିଅନ୍ତୁ ବୋଲି ସ୍ଥାନୀୟ ସାର୍କିଟ ହାଉସଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକଙ୍କୁ କହିଛନ୍ତି । ସେ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ମୋର ଅଭିଜ୍ଞତା ଅନୁସାରେ ପୋଲିସକୁ ଅଦାଲତରେ ପ୍ରଥମେ ମମିତାର ମୃତ ଦେହ ଓ ମମିତାର ମୃତ୍ୟ ପ୍ରମାଣିତ କରିବାକୁ ହେବ । କିଛି କ୍ଷେତ୍ରରେ ମୃତକର ବ୍ୟବହୃତ ସାମଗ୍ରୀ ଏହା ସାବିତ କରିବାରେ ସାହାଯ୍ୟ କରେ । କିନ୍ତୁ ପୋଲିସ ନିଜର ଦୂରଦର୍ଶିତାର ଅଭାବ ଯୋଗୁଁ ହତ୍ୟାକାଣ୍ଡ ପରେ ଶବ ପୋତି ଦିଆଯାଇଥିବା ଜାଗାରୁ ମିଳିଥିବା ସମଗ୍ରୀ ସମସ୍ତଙ୍କୁ ଜଣାଇଦେଲାଣି । ଯେତେବେଳେ ଘଟଣାର ଶୁଣାଣି ଆରମ୍ଭ ହେବ ଏହା ପୋଲିସ ପାଇଁ ସମସ୍ୟା ଆଣିପାରେ । ସେହିପରି ମୃତ ମମିତାଙ୍କୁ ଗୋବିନ୍ଦ ଶେଷ ବ୍ୟକ୍ତି ଭାବେ ଭେଟିଥିଲା । କେତେକ କ୍ଷେତ୍ରରେ କେବଳ ଏହି ପ୍ରମାଣ ଅଭିଯୁକ୍ତର ଗିରଫ ଓ କେସ ପାଇଁ ଯଥେଷ୍ଟ । କିନ୍ତୁ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଭିଆଇପି ଭାବେ ଚର୍ଚ୍ଚା କରୁଥିବା ଦେଖା ଯାଉଛି । ପୋଲିସ ସାମନାରେ ଅଭିଯୁକ୍ତ ଦୋଷ ସ୍ୱିକାର କରିଥିଲେ ମଧ୍ୟ ଅଭିଯୁକ୍ତର ବୟାନକୁ ମଧ୍ୟ ମାନ୍ୟବର କୋର୍ଟଙ୍କ ଆଗରେ ରେକର୍ଡ କରିବା ଅବଶ୍ୟକ ଯାହା ଏଠାରେ କରାଯାଇନାହିଁ । ସେହିପରି ମୃତକ ବ୍ୟବହାର କରୁଥିବା ଲେପଟପ, ମୋବାଇଲ ଓ ପେନ୍ ଡ୍ରାଇଭ ଏ ପର୍ଯ୍ୟନ୍ତ ପୋଲିସ ଉଦ୍ଧାର କରିପାରିନାହିଁ । ଏହା ସୁରକ୍ଷିତ ରଖି ପାରିଲେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସ୍ପଷ୍ଟ ଭାବରେ ଜଣାପଡିଯିବ । ଯଦି ଏହା ସତ ତେବେ ପୋଲିସର କାର୍ଯ୍ୟକଳାପକୁ ନେଇ ଜନସାଧାରଣ ସନ୍ଦେହ ନିଶ୍ଚୟ କରିବେ । ତେଣୁ ଏହି ହତ୍ୟା ଘଟଣାର ନିରପେକ୍ଷ ଓ ନିର୍ଭରଯୋଗ୍ୟ ଅନୁସନ୍ଧାନ ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯେତେ ଶୀଘ୍ର ହେବ ନିଜ ପଦବିରୁ ଇସ୍ତଫା ଦିଅନ୍ତୁ ନଚେତ୍‌ ଏହି ଘଟଣାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଆଗରେ ମୁହଁ ଖୋଳନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତିି ଯେ ଏହି କଲେଜକୁ କାହିଁକି ଓ କେମିତି ଏତେ ପରିମାଣର ଅନୁଦାନ ଆସିଛି ତାହା ଅନୁସନ୍ଧାନ ସାପେକ୍ଷ । ତା’ ସହ ଏହି କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଉଠିଥିବା ଆଶଂକାକୁ ଦୂର କରିବା ପାଇଁ ସରକାର ଯଥା ଶୀଘ୍ର ଏହି କଲେଜକୁ ନିଜ ହାତକୁ ନେବା ଅବଶ୍ୟକ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ଓ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen + twenty =