ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ବିଧାୟକ ନରସିଂହ ମିଶ୍ର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କ କଂସାରିପଡା ସ୍ଥିତ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝଛନ୍ତି । ସାମ୍ବାଦିକ ଅଗ୍ରୱାଲ ଦୀର୍ଘଦିନ ହେବ ହୃଦରୋଗରେ ପିଡିତ ଥିବା ବେଳେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ କରୋନା ମହାମାରୀରେ ଅଗ୍ରୱାଲ ନିଜ ପୁତ୍ରଙ୍କୁ ହରାଇବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଥିଲା । ଏବେ ସେ ବୃଦ୍ଧାବସ୍ଥା ସହ ଅନ୍ୟାନ୍ୟ ଗୁରୁତର ରୋଗରେ ପିଡିତ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶ ଦୁର୍ବଳ ରହିଛି । ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥାର ଖବର ପାଇବା ପରେ, ଆଜି ବିଧାୟକ ଶ୍ରୀ ମିଶ୍ର ସମ୍ବାଦିକ ଶ୍ରୀ ଅଗ୍ରୱାଲଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପରିବାର ସଦସ୍ୟ ସହ ଅଲୋଚନା କରିଥିଲେ । ପ୍ରକାଶ ଯେ, ଶ୍ରୀ ଅଗ୍ରୱାଲ ପ୍ରଜାତନ୍ତ୍ର ଖବର କାଗଜରୁ ନିଜର ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ପରେ ସେ ଅଲ୍ ଇଣ୍ଡିଆ ରେଡିଓ, ଇଣ୍ଡିଆନ୍ ଏକ୍ସପ୍ରେସ, ପିଟିଆଇ ସମେତ ବିଭିନ୍ନ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମ ସହ ଜଡିତ ରହି ପ୍ରାୟ ଚାରି ଦଶନ୍ଧିରୁ ଅଧିକ ସମୟ ସାମ୍ବାଦିକତା କରିଥିଲେ । ନିର୍ଭିକ ସମ୍ବାଦିକତା, ବିଚକ୍ଷଣ ବୁଦ୍ଧି ଓ ଜଣେ ସଂଗଠକ ଭାବେ ଶ୍ରୀ ଅଗ୍ରୱାଲ ସାରା ରାଜ୍ୟରେ ନାଁ କରିଥିଲେ । ଆଜି ସାମ୍ବାଦିକ ଶ୍ରୀ ଅଗ୍ରୱାଲଙ୍କ ପତ୍ନୀ ସନ୍ତୋଷ ଦେବୀ, ପୁତ୍ରବଧୁ ନୟନତାରା, ଝିଅ ସଂଯୁକ୍ତା, ସଂଗୀତା, ଚନ୍ଦ୍ରଶେଖର, ଶୈଳନ୍ଦ୍ର ଏବଂ ଭାଇ ସୁରେଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସମ୍ବାଦିକ ଶ୍ରୀ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବିଧାୟକଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।

Leave A Reply

Your email address will not be published.

1 + eight =