ଆଜିକୁ ୬ ମାସ ହୋଇଗଲା ନଳକୂପ ଅଚଳ ହୋଇଥିବାରୁ ବିଲରୁ ଗାତ ଖୋଳି ପାଣି ପିଉଛନ୍ତି ଗ୍ରାମବାସୀ

ଆଗଲପୁର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଚନ୍ଦ୍ରାବାହାଲ ଗ୍ରାମର ସାମାନ୍ୟ କିଛି ଦୂରରେ ୮ଟି ଶବର ପରିବାର ବସବାସ କରୁଛନ୍ତି । ତାଙ୍‌ଙ୍କ ବସତି ଭିତରେ ରହିଥିବା ନଳକୂପ ଦୀର୍ଘ ୬ ମାସ ହୋଇଗଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ୮ଟି ଶବର ପରିବାର ବିଲରେ ଗାତ ଖୋଳି ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅନେକ ଅର୍ଥ ବିନିଯୋଗ କରୁଥିବା ବେଳେ ଚନ୍ଦ୍ରାବାହାଲ ଗ୍ରାମରେ ବସବାସ କରୁଥିବା ଶବର ପରିବାରମାନଙ୍କ ପାଇଁ ତାହା ସାତ ସପନ ହୋଇପଡିଛି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିଲେ । ସେ ଏହି ନଳକୂପର ପାଣି ବ୍ୟବହାର ନ କରିବାକୁ କହିଛନ୍ତି । କାରଣ ଏହି ନଳକୂପର ପାଣି ବହୁ ମାତ୍ରାରେ ଖରାପ ହୋଇଥିବାରୁ ନଳକୂପର ପାଣି ଯୋଗୁ ଆଗାମୀ ଦିନରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ନିଜେ ସରପଞ୍ଚ ଗୋବିନ୍ଦ ସାହୁ କହିଛନ୍ତି । ଆଗାମୀ ଦିନରେ ଅନ୍ୟ ସ୍ଥାନରେ ନୂତନ ନଳକୂପ ଖୋଳିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଥିଲେ ବୋଲି ଜନସାଧାରଣ କହିଛନ୍ତି । ହେଲେ ଏପର୍ୟ୍ୟନ୍ତ କୌଣସି ବ୍ୟବସ୍ଥା କରିନାହାନ୍ତି । ନା ନଳକୂପ ମରାମତି ହୋଇପାରୁଛି ନା ନୂତନ ନଳକୂପ ଖୋଳାହେଉଛି । ଏଥିପ୍ରତି ପ୍ରଶାସନ ଓ ରାଜ୍ୟ ସରକାର ଦୁଷ୍ଟି ଦେବା ପାଇଁ ଜନସାଧାରଣ ଦାବୀ ହେଉଛି ।

Leave A Reply

Your email address will not be published.