csstore

ମଥୁରାନଗରୀ ମୁରିବାହାଲରେ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଷଷ୍ଠତମ ବିରାଟ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହା ଶୁକ୍ରବାର ଠାରୁ ୨୦ତାରିଖ ଗୁରୁବାର ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା ପଡିଆରେ ମହାସମାରୋହରେ ଅନୁଷ୍ଠିତ ହେବ । ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ମୁରିବାହାଲ ବ୍ଲକ ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ସିଡିପିଓ ପୂର୍ଣ୍ଣିମା ବୈଠାରୁ, କୃଷି ଅଧିଦର୍ଶକ କିଶୋର କୁମାର ଭୋଇ ଓ ସୁପରଭାଇଜର କୁନି ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଉପଜିଲ୍ଲାପାଳଙ୍କ ସହଧର୍ମିଣୀ ପ୍ରୀତି ସୋଲାଙ୍କି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହା ପୂର୍ବରୁ କର୍ତ୍ତା ତଥା କମିଟି ସାଧାରଣ ସମ୍ପାଦକ ତରୁଣ ପୋଡ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଡ଼ଙ୍କ ଦ୍ଵାରା ମଞ୍ଚ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପୂଜକ ରୂପେ ଟିକୁ ଥନାପତି ଥିଲେ । ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିବ । ଶୁକ୍ରବାର ଉଦ୍‌ଘାଟନୀଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମଥୁରା ନରେଶ ମହାରାଜ କଂସଙ୍କ ଦରବାର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦିବସରେ ଦ୍ରୁର୍ମିଳାସୁର ବଧ, ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ, କଂସ ମହାରାଜାଙ୍କ ସିଂହାସନ ଆରୋହଣ, ଦେବକୀଙ୍କ ଷଡ଼ପୁତ୍ର ବିନାଶ, ସ୍ୱର୍ଗପୁର ଆକ୍ରମଣ, କଂସ ମହାରାଜଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତନା ପ୍ରେରଣ, ଷଢ଼ମଲ୍ଲ ବିନାଶ, ମଗଧ ନଗରୀ ଆକ୍ରମଣ, କଂସ ମହାରାଜଙ୍କ ବିବାହ ଓ କାଳୀୟ ଦଳନ, ନନ୍ଦ ଉତ୍ସବ, ରଙ୍ଗାସଭା, ଅକ୍ରୁର ପ୍ରେରଣ, ଯମ ଦରବାର, ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଶେଷ ରଜନୀରେ ମହାରାଜ କଂସଙ୍କ ନିଧନ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତ୍ତତ୍ରାଣ ସୁନାନୀ ଓ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରିବେ । ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ରମେଶ ନାଗ, ସୁଦାମ ସାହୁ, ରାଜୀବ କୁମାର ମହାନ୍ତି, ଦୁର୍ଗାନନ୍ଦ ମହାକୁର, ଉପସଭାପତି ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ, ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ଖଗେଶ୍ୱର ସାହୁ, କରନ ଜାଲ, ବାବୁଲି ରାଉତ, ବିରଞ୍ଚି ଭୋଇ, ଗୋବିନ୍ଦ ସେଠଙ୍କ ସହ ପ୍ରଚାର ପ୍ରସାର କମିଟିର ମନୋଜ କୁମାର କର, କେଦାର ବଡଜେନା ଓ ଗିରିଧାରୀ ସାହୁଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ସୁଦାମ ଚରଣ ବଘାର ଧନ୍ୟବାଦ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ ଓ ମୀନା ବଜାରରେ କିଣାବିକା ପାଇଁ ବିପୁଳ ଜନସମାଗମ ହେଉଛି ।

jayashree
Leave A Reply

Your email address will not be published.