csstore

ଐତିହାସିକ ‘ମୁଙ୍ଗେ ପାହାଡ’ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଆଦିବାସୀ

  • ୱେଷ୍ଟର୍ଣ୍ଣ ଓଡିଶା ଯୁବାମଞ୍ଚ ପକ୍ଷରୁ ଟିଟିଲାଗଡରେ ବିଶାଳରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଐତିହାସିକ ‘ମୁଙ୍ଗେ ପାହାଡ’ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଆଦିବାସୀ । ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ଆଦିବାସୀ ସହିଦ ମୋହନ ମାଝୀଙ୍କ ସ୍ମୃତିକୁ ବହନ କରୁଥିବା ତଥା ଆଦିବାସୀଙ୍କ ଭାବାବେଗ ଜଡିତ ଥିବା ବଙ୍ଗୋମୁଣ୍ଡା ତହସିଲ ସିନ୍ଧେକେଲା ନିକଟସ୍ଥ ଅଲଣ୍ଡା ପଞ୍ଚାୟତର ମୁଙ୍ଗେ ପାହାଡକୁ ଫଟାଇବାକୁ ଟିଟିଲାଗଡର ଜଣେ ବ୍ୟବସାୟୀଙ୍କୁ ପ୍ରଶାସନ ଲିଜରେ ଦେଇଛନ୍ତି । ଲିଜରେ ନେଇଥିବା ବ୍ୟବସାୟୀ ଜଣକ ନିୟମ କାନୁନର ଉଲଂଘନ କରି ପାହାଡରେ ନଳକୂଅଗାଡି ଲଗାଇ ଡ୍ରୀଲିଂ କରୁଛନ୍ତି । ଗତ ୩ମାସ ତଳେ ସ୍ଥାନୀୟ ଲୋକେ ଏହାକୁ ପ୍ରତିବାଦ କରିଥିଲେ । ଆଦିବାସୀଙ୍କ ଭାବାବେଗ ସହିତ ଜଡିତ ଥିବା ଐତିହାସିକ ପାହାଡର ସୁରକ୍ଷା କରିବାକୁ ଦାବୀ କରିଥିଲେ । କିନ୍ତୁ ପ୍ରଶାସନ ପୁଣି ଚକ୍ରାନ୍ତ କରି ପାହାଡକୁ ଫଟାଇବାକୁ ଉଦ୍ୟମ କରୁଥିବା କାରଣରୁ ଶୁକ୍ରବାର ଦିନ ଟିଟିଲାଗଡରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ସ୍ଥାନୀୟ ଲୋକଙ୍କ ସହିତ ପାରଂମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଟିଟିଲାଗଡ ସହରରେ ଶୋଭାଯାତ୍ରା କରିଥିଲେ । ମୁଙ୍ଗେ ପାହାଡ କନ୍ଧଆଦିବାସୀଙ୍କ ସ୍ୱାଭିମାନର ପ୍ରତୀକ ବୋଲି ଆଦିବାସୀମାନେ କହିଛନ୍ତି । ତେଣୁ ଏହି ପାହାଡକୁ ସୁରକ୍ଷା କରାଯାଇ ଏହାର ଉନ୍ନତି କରାଯାଉ ବୋଲି ଦାବୀ କରାଯାଇଛି । ୱେଷ୍ଟର୍ଣ୍ଣ ଓଡିଶା ଯୁବାମଞ୍ଚର ଆବାହକ ଅଜିତ ପତି, ଗରୀବ ସେନାର ବୀରେନ୍ଦ୍ର ବାଗ, କୋଶଲ ଯୁବ ଶକ୍ତିର ଜୟନ୍ତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲା କନ୍ଧସମାଜ, ଆଦିବାସୀ ସଂଘ ସହିତ ଠେମରା, ଅଲଣ୍ଡା, ବେହେଲି, ସିନେ୍ଧେକେଲା ପଞ୍ଚାୟତବାସୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟାନନ୍ଦ ମହାକୁର, ରାଶ ବଗର୍ତ୍ତି, ରମେଶ ସିଂପାତ୍ର, ଯୁବରାଜ ବାଗ, ଆଲୋକ ବାଗ, ସୁରେଶ ଭୋଇ, ଧନେଶ୍ୱର ମାଝୀ, ନାରୀନେତ୍ରୀ କିରଣ ଭୋଇ, ଯୁବରାଜ ମାଝୀ, ଯୁବରାଜ ବାଗ, କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ମୁନିରାମ ନାଗ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ହରିନାରାୟଣ ମିଶ୍ର, ସଂଜୀବ ସାହୁ, ରାଜୀବ ସଗ୍ରୀଆ, ବିନୋଦ ସରାଫ ପ୍ରମୁଖ ସ୍ଥାନୀୟ ଘଣ୍ଟାସୁଣୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.