
ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଜୀବନରେ ଅନେକ ଯନ୍ତ୍ରଣା ଆସିଥାଏ । କିନ୍ତୁ ଜୀବନ ଜଞ୍ଜାଳକୁ ସାମ୍ନା କରିବା ପାଇଁ ଜଣେ ମହିଳା ସ୍ୱାମୀ ଓ ଦୁଇ ପୁଅ ଓ ଗୋଟିଏ ଝିଅଙ୍କ ପେଟରେ ଦାନା ଦେବା ପାଇଁ ବାଙ୍ଗାଲୁରୁର ଏକ ଘରୋଇ ସଂସ୍ଥାରେ ଦାଦନ ଖଟୁଥିବା ଅବସ୍ଥାରେ ସ୍ୱାମୀର ମୃତ୍ୟୁ ଖବର ପାଇବା କେତେ କଷ୍ଟକର ହୋଇଥିବ ତାହା ଏବେ ପ୍ରତ୍ୟେକ ଖବର ରଖିଥିବା ଲୋକଙ୍କୁ ବ୍ୟଥିତ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀ ଗୁଡ଼ା ଗ୍ରାମର ଏକ ନିରୀହ ଆଦିବାସୀ ପରିବାର ମଧ୍ୟରେ ଘଟିଯାଇଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ଭୋରରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଏକ ଶବ ଭାସୁଥିବା କିଛି ଲୋକ ଦେଖି ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗ ପହଞ୍ଚିଲା ବେଳକୁ ମୃତଦେହ ଭାସିଯାଇ କଲମପୁର ବ୍ଲକ ସୀମାନ୍ତ ଚୁରା ଗାଁ ପାଖରୁ ଉଦ୍ଧାର କରି କଲମପୁର ଥାନାକୁ ସୂଚନା ଦେଇଥିଲେ । ମୃତକର ପରିଚୟ ଖୋଜା ଚାଲିଥିବା ବେଳେ ଜଣେ ସାମାଜିକ କର୍ମୀ ମୃତକର ଫଟୋକୁ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ କଲା ପରେ ତାହା ମୁଖୀ ଗଡ଼ା ମାଝୀ ପଡ଼ାର ଚୈତୁ ମାଝୀଙ୍କ ବୋଲି ଜଣା ପଡିଥିଲା । ଗତ ସୋମବାର ବଡି ଭୋରରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇ ଖସିପଡ଼ିଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ ମଧ୍ୟ ଖୋଜାଖୋଜି କରିଥଲେ ସୁଦ୍ଧା କୌଣସି ପତ୍ତା ମିଳି ନ ଥିଲା । କେନାଲରେ ଭାସିଯାଇ ଚଇତୁର ମୃତ୍ୟୁ ସମସ୍ତ ପରିବାରଙ୍କୁ ଚକିିତ କରିଦେଇଛି । ଅନ୍ୟପଟରେ ପରିବାରକୁ ଦାରିଦ୍ର୍ୟତାରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ି ଥିବା ଚଇତୁଙ୍କ ସ୍ତ୍ରୀ ସାନଦେଇ ମାଝୀ ବାଙ୍ଗାଳୁରୁ ଦାଦନ ଖଟିବାକୁ ଯାଇ ସେଠାର ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଦୁର୍ବିସହ ଯନ୍ତ୍ରଣା ମଧ୍ୟରେ ସ୍ୱାମୀଙ୍କ ଅନ୍ତେଷ୍ଟୀରେ ଯୋଗଦେବା ପାଇଁ ଟ୍ରେନ ଯୋଗେ ଫେରୁଥିବା ସୂଚନା ମିଳିଛି । ଅନ୍ୟପଟରେ କଲମପୁର ପୋଲିସ ଶବ ଜବତ କରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି । ମୃତକର ଦୁଇ ପୁଅ ଓ ଗୋଟିଏ ଝିଅଙ୍କ ପାଇଁ ଏହି ମୁହୂର୍ତ୍ତ ଅତି ବେଦନା ଦାୟକ ହୋଇ ପଡିଥିବା ବେଳେ ବାପାଙ୍କ ଅନ୍ତେଷ୍ଟି କେମିତି ହେବ ସେହି ଚିନ୍ତା ଏବେ ଗ୍ରାସୀ ସାରିଲାଣି ।