
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଫାଟକରେ ପଡ଼ିଛି କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ । ଆଜି ସକାଳେ କାର୍ରେ ଆସି ଟ୍ରେନ ଟ୍ରାକ୍କୁ ଦୌଡ଼ି ଯାଇଥିଲେ । ସାମ୍ନା ପଟରୁ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ୍ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଲୋକେ କହିଛନ୍ତି । ବଲାଙ୍ଗିର ସୁଦପଡ଼ା ଗ୍ୟାସ ଗୋଦାମ ନିକଟ ରେଳ ଫାଟକରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ବେଳେ ମୃତ ବ୍ୟକ୍ତି ଜଣକ ହେଲେ ମଲମଣ୍ଡା ଗାଁ ସ୍କୁଲର କ୍ରୀଡ଼ା ଶିକ୍ଷକ ଦେବୀପ୍ରସାଦ ରାଉତ (୫୮) । କିଛିଦିନ ତଳେ ତାଙ୍କ ଝିଅଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତେବେ କାହିିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ । ଦୁର୍ଘଟଣା ସ୍ଥଳରେ ବଲାଙ୍ଗିର ଜିଆରପି ଥାନା ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରେଳଲାଇନ ଟ୍ରାକ୍ରୁ ମୃତଦେହକୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।