
ଜୁନାଗଡ଼, (କେପିଏନ୍ଏସ୍) : ଚଳିତ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ୫୪୩ ମାର୍କ ସହିତ ଏ୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବସୁନ୍ଧରା ଶୁକ୍ଲାଙ୍କ ସମ୍ମାନାର୍ଥେ ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ନେତୃତ୍ୱରେ ପାରମ୍ପରିକ ଦେଶୀ ବାଜାର ତାଳେ ତାଳେ ଏ୧ ଛାତ୍ରୀ ବସୁନ୍ଧରା ଶୁକ୍ଲାଙ୍କୁ ବିଦ୍ୟାଳୟର ମୁଖ୍ୟ ଫାଟକରୁ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଅଣାଗଲା । ପରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ତଥା ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ପୁରାତନ ଛାତ୍ର ସଂଘ ସଭାପତି ସନ୍ତୋଷ କୁମାର ସିଂଦେଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ମାଝୀ, ପରିଚାଳନା କମିଟି ସଭ୍ୟା ତଥା କାଉନସିଲର ହିମାଦ୍ରୀ ସିନ୍ଦୁର, ବରିଷ୍ଠ ପ୍ରଧାନ ଶିକ୍ଷକ ତଥା ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଙ୍ଘ ସମ୍ପାଦକ ବିଜୟ କୁମାର ପାଢ଼ୀ, ଅଭିଭାବକ ବାଲାଜୀ ଯାଦବ, ଛାତ୍ରକର୍ତ୍ତା ଉତ୍ତମ ଶୁକ୍ଲା, ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ, ପୂର୍ଣ୍ଣେନ୍ଦୁ ମାଝୀ ପ୍ରମୁଖ ମଂଚାସୀନ ଥିଲେ । ପ୍ରାୟ କୋଡିଏ ବର୍ଷ ପରେ ଏ ପ୍ରକାର ସଫଳତା ଆସିଥିବାରୁ ଅତିଥିଗଣ ଆନନ୍ଦ ପ୍ରକାଶ କରିବା ସହିତ ଗୁରୁବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ନିଜସ୍ୱ ପରିଶ୍ରମ, ପିତାମାତା ତଥା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସଫଳତା ପାଇଛି ବୋଲି ସମ୍ବର୍ଦ୍ଧିତ ଛାତ୍ରୀ ବସୁନ୍ଧରା ମତାମତ ଦେଇଥିଲେ । ଏ ଅବସରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଙ୍କୁ ପ୍ରତିବର୍ଷ ଦେଇଆସୁଥିବା ନଗତ ପୁରସ୍କାର ପନ୍ଦର ହଜାର ଟଙ୍କା ଦୁର୍ଗା ପ୍ରସାଦ ନାଏକ ସଭାରେ ବସୁନ୍ଧରାଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନ ପର୍ବକୁ ଶିକ୍ଷକ କବି ସଂଜୀବ ପଣ୍ଡା ସଂଯୋଜନା କରିଥିବା ବେଳେ ଶ୍ରେଣୀ ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ମନୋଜ ନାଏକ, ବିଭୁ ଭୂଷଣ ପଣ୍ଡା, ଚୁମନଦାସ ନାଏକ, ଅଞ୍ଜନା ଶୁକ୍ଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।