jayashree

ବଲାଙ୍ଗିରରେ ଚାଞ୍ଚଲ୍ୟ, ପଥର ମାଡ଼ରେ ଯୁବକଙ୍କ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଉପରକୁ ହୋଇଥିବା ପଥର ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି କରିଛି । ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଏହି ଘଟଣା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗାଁରେ ଘଟିଛି । ମୃତକ ହେଲେ ମକୁନ୍ଦ ସାହୁ । ଅଭିଯୋଗ ଅନୁସାରେ, ବାହୁଡ଼ାଯାତ୍ରା ସମୟରେ ଘଟିଥିବା ଏକ ବିବାଦକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ କିଛି ଯୁବକ ମକୁନ୍ଦ ସାହୁଙ୍କ ଘର ଉପରକୁ ପଥର ମାଡ଼ କରିଥିଲେ । ପରିବାର ସଦସ୍ୟମାନେ ଶୋଇଥିବା ବେଳେ ପଥର ମାଡ଼ର ଶବ୍ଦ ଶୁଣି ମକୁନ୍ଦ କବାଟ ଖୋଲି ବାହାରକୁ ଆସିଥିଲେ । ସେହି ସମୟରେ ପଥର ତାଙ୍କୁ ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଲରମ୍ଭା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି । ଏହି ଘଟଣା ପୁଣିଥରେ ଅଞ୍ଚଳରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ସାମାନ୍ୟ ବିବାଦକୁ କେନ୍ଦ୍ର କରି ରାତି ଅଧରେ କାହାରି ଘର ଉପରକୁ ସଂଘବଦ୍ଧ ଭାବେ ପଥର ମାଡ଼ କରିବା ଭଳି ଘଟଣା ଦୁର୍ବୃତ୍ତମାନଙ୍କ ବଢ଼ୁଥିବା ଦୁଃସାହସକୁ ସାମ୍ନାକୁ ଆଣୁଛି । ଏଭଳି ଘଟଣା ଅଞ୍ଚଳବାସୀଙ୍କ ମନରେ ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି କରିଛି । ତେବେ ତଦନ୍ତ ଶେଷ ପରେ ଘଟଣାର ପ୍ରକୃତ କାରଣ ଏବଂ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.