
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଧୂମାମରା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଫୁଲଝରଣ ଗ୍ରାମର ନରେଶ କାଲସାଏଙ୍କର ମୃତ୍ୟୁ ଘଟିଛି । ଏକ ଅଜଣା ଗାଡ଼ି ତାଙ୍କୁ ବେପରୁଆ ଭାବେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମୃତ ନରେଶ କାଲସାଏ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିବାରୁ ତାଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ମୃତଦେହର ବ୍ୟବଛେଦ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସମ୍ପନ୍ନ ହୋଇଛି । ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ିକୁ ଶୀଘ୍ର ଠାବ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଯଥୋଚିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।