
ବ୍ରହ୍ମପୁର (କେ.ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ବାତ୍ୟା ‘ମୁରାସୁ’ ଏବେ ଅବପାତ ରୂପ ଧାରଣ କରିବାକୁ ଯାଉଛି । ଏହାର ପ୍ରଭାବରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ସତର୍କ ସୂଚନା ଅନୁଯାୟୀ ହାଇ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରୀ ହୋଇଥିବା ଜଣାପଡ଼ିଛି ।
ରବିବାର ଦିନ ତମାମ ଗଞ୍ଜାମ ଜିଲ୍ଲାରେ ପାଗ ସାଧାରଣତଃ ଶୁଖିଲା ରହିଥିଲା । ନଭେମ୍ବର ୨ ତାରିଖ ଅର୍ଥାତ୍ ସୋମବାର ଠାରୁ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବ ବୋଲି କୁହାଯାଇଛି । ନଭେମ୍ବର ୩ ଓ ୪ ତାରିଖ ମଙ୍ଗଳବାର ଓ ବୁଧବାର ବାତ୍ୟା ଅଧିକ ନିକଟତର ହେବା ଫଳରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ଆଇଏମ୍ଡ଼ି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୩ ଓ ୪ ତାରିଖ ଆଡ଼କୁ ପବନର ବେଗ ଘଂଟା ପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏପରିକି ଘଂଟା ପ୍ରତି ଝଟ୍କା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ବାରଣ ନୀତି ଲାଗୁ କରାଯାଇଛି । ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ସରକାର ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ରାଜସ୍ୱ ବିଭାଗ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ନିୟୋଜିତ ହେବେ । ସର୍ବୋପରି ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଏହି ହାଇ ଆଲର୍ଟରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ତଥା ତଳିଆ ଅଂଚଳ ଏବଂ ବନ୍ୟା ପ୍ରପୀଡ଼ିତ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ଦିଗରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ଓଡ଼୍ରାଫ ଏବଂ ଏନଡିଆରଏଫ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି ।