jayashree

ସପ୍ତମ ବର୍ଷରେ ପଦାର୍ପଣ କଲା ବଲାଙ୍ଗିର ଦିନ୍‌ : ସରକାରୀ ମାନ୍ୟତା ପାଇଁ ଜୋର ଧରିଲା ଦାବି

  • ଐତିହ୍ୟ ଓ ଅସ୍ମିତାକୁ ନେଇ ଏକାଠି ହେଲେ ଶତାଧିକ ଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ଗୌରବ, ସ୍ୱାଭିମାନ ଓ ଐତିହାସିକ ପରିଚୟକୁ ମନେ ପକାଇ ସପ୍ତମ ବର୍ଷରେ ପଦାର୍ପଣ କରିଛି ବଲାଙ୍ଗିର ଦିନ୍‌ । ଏହି ଅବସରରେ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ସହ ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଉଠିଛି ଦାବି । ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ଗଡ଼ଜାତ ଅଞ୍ଚଳର ମିଶ୍ରଣ ପରେ ପାଟଣା-ବଲାଙ୍ଗିର ଜିଲ୍ଲା ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୪୯ ନଭେମ୍ବର ୧ ତାରିଖରେ ଜିଲ୍ଲାର ପୁନର୍ଗଠନ ସମୟରେ ବଲାଙ୍ଗିର ନାମ ଘୋଷଣା କରାଯାଇଥିଲା । ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ପାଇଁ ସ୍ୱର୍ଗତ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ଉଦ୍ୟମ ଏବଂ ଐତିହାସିକ ଶିବପ୍ରସାଦ ନନ୍ଦଙ୍କ ମାର୍ଗଦର୍ଶନରେ ବଲାଙ୍ଗିର ଦିନ୍‌ ପାଳନର ପରମ୍ପରା ଆରମ୍ଭ ହୋଇଥିଲା । ଏହି ଅବସରରେ ବାରପୁଡୁଗିଆଠାରେ ବଲାଙ୍ଗିର ଦିନ୍‌ର ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶତାଧିକ ଲୋକଙ୍କ ଉପସ୍ଥିତିରେ କେକ୍‌ କାଟି ଉତ୍ସବ ପାଳନ କରାଯାଇଥିଲା । ଇତିହାସକୁ ମନେ ପକାଇବା ସହ ସାଂସ୍କୃତିକ ପରମ୍ପରା ଓ କ୍ରୀଡ଼ା ମାଧ୍ୟମରେ ଆଗାମୀ ପିଢ଼ିକୁ ବଲାଙ୍ଗିରର ଗୌରବମୟ ଅତୀତ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗଦେଇଥିବା ବେଳେ ଗୋଲାପ ବାଗ, ସରପଞ୍ଚ ଜନ୍ମଜୟ ମେହେର, ନିଳାଦ୍ରି ମିଶ୍ର, ଗିରିଧାରୀ କାଲସାଏ, ମଦନ ସାହୁ, ବିକାଶ ନାଏକ, ଗଦନ ସାହୁ, ସଞ୍ଜୟ ନାଏକ ଓ କୈଳାସ ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସବର ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.