
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ଭିଜିଲାନ୍ସ ଟିପିଡବ୍ଲୁଓଡିଏଲ୍ର ଏମ୍ଆର୍ଟି ରାଉରକେଲା ସର୍କଲର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ସୂଚନାରୁ ପ୍ରକାଶ ଯେ, ଟିପିଡବ୍ଲ୍ୟୁଓଡିଏଲ୍ ରାଉରକେଲା ସର୍କଲର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରା ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗିରଫ ହୋଇଛନ୍ତି । ପୂର୍ବରୁ ସୁବର୍ଣ୍ଣପୁର ଜିଲା ବିନିକା ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ବେହୁରା ବର୍ତ୍ତମାନ ରାଉରକେଲା ସର୍କଲ୍ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପିସି ଆକ୍ଟ, ୧୯୮୮ ର ଧାରା ୧୩(୨) ସହ ପଠନୀୟ ୧୩(୧)(ଡି)/୭ ଅନୁଯାୟୀ ଏକ ମାମଲାରେ ଚାର୍ଜସିଟ୍ ହୋଇଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଥିବାବେଳେ “ଜଳନିଧି ଯୋଜନା” ଅଧୀନରେ ଜଣେ ହିତାଧିକାରୀଙ୍କୁ ତାଙ୍କ ଚାଷ ଜମିରେ ଲଗାଯାଇଥିବା ମୋଟର ପମ୍ପ ପାଇଁ ଅସ୍ଥାୟୀ ବିଲ ବଦଳରେ ନିୟମିତ ବିଦ୍ୟୁତ ବିଲ ଯୋଗାଇ ଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ସେ ମାନ୍ୟବର ସ୍ୱତନ୍ତ୍ର ଜଜ, ଭିଜିଲାନ୍ସ, ବଲାଙ୍ଗିରଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ୪ ବର୍ଷର କଠୋର କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ କ୍ଷମତା ପ୍ରାପ୍ତ ରୂପକ୍ଷଙ୍କୁ ପ୍ରସ୍ତାବ ପଠାଯାଇଥିବା ପ୍ରକାଶ କରିଛନ୍ତି । ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ର ପୂର୍ବତନ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମିଶ୍ର ମାମଲାର ତଦନ୍ତ କରୁଥିଲେ ।