jayashree

ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ସୋମବାର ଲୋକସଭାରେ ନିୟମ ୩୭୭ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଓଡ଼ିଶାର ଲବାନ ଆଥବା ଲବାନା ସମୁଦାୟଙ୍କୁ ବଞ୍ଜାରାର ପର୍ଯ୍ୟାୟ ଭାବେ ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ସାଂସଦ ଶ୍ରୀ ପୁରୋହିତ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ବଞ୍ଜାରା ସମୁଦାୟ ଏସ୍‌ଟି ତାଲିକାରେ ରହିଥିବା ବେଳେ ଭାଷା, ସଂସ୍କୃତି, ପରମ୍ପରା, ବିବାହ ପ୍ରଥା ଓ ସାମାଜିକ ପରିଚୟରେ ସମାନ ହୋଇଥିଲେ ମଧ୍ୟ ଲବାନ ଅଥବା ଲବାନା ସମୁଦାୟକୁ ଅନୁସୂଚିତ ଜାତି (ଏସ୍‌ସି) ତାଲିକାରେ ରଖାଯାଇଛି । ଏହି ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ଯୋଗୁଁ ସମୁଦାୟ ସଂବିଧାନସମ୍ମତ ଅଧିକାର ଓ ବିଭିନ୍ନ କଲ୍ୟାଣକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲୋକୁର ସମିତି (୧୯୬୫), ଜୋସେଫି ସମିତି (୧୯୬୭), ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ (୧୯୯୩) ଓ ଓଡ଼ିଶା ସରକାରଙ୍କ ହାଲିଆ ସର୍ଭେରେ ବଞ୍ଜାରା, ବଞ୍ଜାରୀ, ଲବାନ ଓ ଲବାନା ଏକେ ସମୁଦାୟର ପର୍ଯ୍ୟାୟ ବୋଲି ସ୍ପଷ୍ଟ କରାଯାଇଛି । ତେଣୁ ଲବାନ ଅଥବା ଲବାନା ସମୁଦାୟଙ୍କୁ ଏସ୍‌ସି ତାଲିକାରୁ ବାହାର କରି ବଞ୍ଜାରାର ପର୍ଯ୍ୟାୟ ଭାବେ ଏସ୍‌ଟି ତାଲିକାରେ ସାମିଲ କରିବା ପାଇଁ ଶୀଘ୍ର ସଂବିଧାନିକ ଓ ଆଇନଗତ ପଦକ୍ଷେପ ନେବାକୁ ସେ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.