jayashree

ବଙ୍ଗୋମୁଣ୍ଡାରେ ଜମିବାଡ଼ି ବିବାଦକୁ ନେଇ କାକା-ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ : ୫ ଜଣ ଆହତ

ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗଜାବାହାଲ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଘଟଣା । ପରିବାର ମଧ୍ୟରେ ଥିବା ବିବାଦ ଉଗ୍ର ରୂପ ନେବା ପରେ ପୁତୁରା ନିଜ କାକା ଓ ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗଜାବାହାଲ ଗ୍ରାମର ପୁରୁନ ସଗ୍ରିଆ ଓ ତାଙ୍କ ସ୍ତ୍ରୀ ଗୁରୁବାରୀ ସଗ୍ରିଆଙ୍କୁ ତାଙ୍କ ପୁତୁରା ଭୈରବ ସଗ୍ରିଆ, ବାବୁଲାଲ ସଗ୍ରିଆ, ପାଳତୀ ସଗ୍ରିଆ ଏବଂ ପୁଷ୍ପା ସଗ୍ରିଆ ମିଶି ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାପା-ମା’ଙ୍କୁ ବଞ୍ଚାଇବାକୁ ଆସିଥିବା ସେମାନଙ୍କ ତିନି ଝିଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ମୋଟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପୁରୁନ ସଗ୍ରିଆ ଓ ଗୁରୁବାରୀ ସଗ୍ରିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆହତ ପରିବାର ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.