ଭୀମଡୁଙ୍ଗୁରୀ ପାର୍କରେ ସ୍ଥାପିତ ହେବ ଉନ୍ନୟନ କାମର ମୋଡେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ କାମ ଚାଲୁରହିଛି । ଏପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ବିଭାଗ ତରଫରୁ ଏଠାରେ ପ୍ରାୟ ୪କୋଟି ଟଙ୍କାର ଅନୁଦାନରେ ବିଭିନ୍ନ ଭିତ୍ତିଭୂମୀ ନିର୍ମାଣ କରାଯାଇଛି । ପାହାଡ ଉପରକୁ ପାହାଚ, ତଳେ ଟୁରିଷ୍ଟହୋମ, ବିଦ୍ୟୁତିକରଣ, ପାର୍କ, ପାନୀୟଜଳ ପ୍ରକଳ୍ପ ଓ ଭୀମକଟାରେ ବୋଟିଂର ସୁବିଧା କରାଯାଇଛି । ତେବେ ରାଜ୍ୟ ସରକାର ଏହାକୁ ଏକ ଉନ୍ନତ ଧରଣର ଇକୋଟୁରିଜମ ସେଣ୍ଟର କରିବାକୁ ଯୋଜନା କରିଛନ୍ତି । ଜିଲ୍ଲା ପ୍ରଶାସନ ଜଙ୍ଗଲ ବିଭାଗ ତରଫରୁ ୬ କୋଟି ୨୪ଲକ୍ଷ ଓ ଜଳସେଚନ ବିଭାଗ ୨କୋଟି ୮୫ଲକ୍ଷ ଟଙ୍କାର ଅଟକଳ କରି ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଉଛନ୍ତି । ଏବେ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ପରିଦର୍ଶନ ପାଇଁ ଆସୁଛନ୍ତି । ତେବେ ଏଠାକାର ପାର୍କରେ ଭୀମଡୁଙ୍ଗୁରୀରେ କରାଯାଇଥିବା ଏକ ବିକାଶର ମୋଡେଲ ସ୍ଥାପିତ ହେବ ବୋଲି ସୂଚନା ମିଳିଛି । ଯେଉଁ ପର୍ଯ୍ୟଟକମାନେ ପାହାଚ ଚଢି ପାହାଡ ଉପରକୁ ଯାଇ ପାରିବେ ନାହିଁ ସେମାନେ ମୋଡେଲକୁ ଦେଖି ସେଠାରେ କରାଯାଇଥିବା ସାମଗ୍ରୀକ ବିକାଶ କାମ ବିଷୟରେ ଜାଣିପାରିବେ ବୋଲି ବଲାଙ୍ଗିର ଡିଏଫଓ ନୀତିଶ କୁମାର କହିଛନ୍ତି । ବଲାଙ୍ଗିର ଡଏଫଓଙ୍କ କାର୍ଯ୍ୟାଳୟରେ ଆଜି ଏହି ମୋଡେଲକୁ ପ୍ରଦର୍ଶନ କରାଯାଇଛି । ଡିଏଫଓ ନିତିଶ କୁମାର, ଏସିଏଫ ଜୟନ୍ତ ସାହୁ, ବଲାଙ୍ଗିର ରେଞ୍ଜର କେସବ କିଶୋର ନାଏକ ଏହି ମୋଡେଲକୁ ପ୍ରଦର୍ଶିତ କରିଛନ୍ତି ।

Leave A Reply

Your email address will not be published.

18 − 6 =