csstore

ମମିତାଙ୍କ ପାଇଁ ୭ ଦଫା ଦେବୀ ନେଇ ରାସ୍ତାକୁ ଓହ୍ଲାଇଲା ସିନାପାଲି ବ୍ଲକ ମେହେର ସମାଜ

ସିନାପାଲି, (ନିରାକାର ମେହେର) : ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅମାନୁଷିକ ହତ୍ୟାକାଣ୍ତର ଘୋର ନିନ୍ଦା କରିବା ସହ ପିଡିତ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଶୁକ୍ରବାର ସିନାପାଲିଠାରେ ଏକ ବିଶାଳ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକ ମେହେର ସମାଜର ଆହ୍ୱାନ କ୍ରମେ ସିନାପାଲି, ହାତିବନ୍ଧା, ବରଗାଁ, ଗଣ୍ତାବାହାଲି, ଗମ୍ଭାରୀଗୁଡା, ଲିଟିଗୁଡା, ଯୋଗିବାହାଲ, ସାଗୁନଭାଡି ଆଦି ଗ୍ରାମର ମେହେର ସମାଜ ସହ ଅଞ୍ଚଳର ମାଲି, ତେଲି, ମାରୱାଡି, ଦଲିତ, ଆଦିବାସୀ, ବ୍ରାହ୍ମଣ, ବାରିକ, ସାହୁ ଆଦି ଜାତି ସମାଜର ଶହଶହ ଲୋକ ଏହି ପ୍ରତିବାଦ ଯାତ୍ରାରେ ସାମିଲ ହୋଇଥିଲେ । ସେହିଭଳି ଅଞ୍ଚଳର ଏକାଧିକ ଯୁବକ ସଂଘ, ମହିଳା ସଂଘ, ସ୍ୱେଚ୍ଛାସେବୀ, ଅନୁଷ୍ଠାନ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇ ମମିତାଙ୍କ ପାଇଁ ନ୍ୟାୟ ଦାବୀକରି ଥିଲେ । ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ କରି ତହସିଲ ଅଫିସ ଓ ପରେ ସିନାପାଲି ଥାନାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାତ ଦଫା ସମ୍ୱଳୀତ ଦାବୀ ପତ୍ର ଉଭୟ ତହସିଲଦାର ଓ ଥାନାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବୀପତ୍ରରେ ମମିତା ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଘଟଣାର ସିବିଆଇ ତଦନ୍ତ, ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ଗିରଫ, ପରିବାରକୁ ୨କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ, ଆଦି ରହିଛି । ଏହି ପ୍ରତିବାଦ ସଭାକୁ ନିଳାଞ୍ଚଳ ମେହେର ପରିଚାଳନା କରିଥିବା ବେଳେ ଡମ୍ୱରୁଧର ମେହେର, ନୀଲମଣି ମେହେର, ଶୁରେଶ୍ୱର ମେହେର, ଖୁସିରାମ ମେହେର, ରିତା ମେହେର, ଲତା ମେହେର, ଆଲୋକ ମେହେର, ସୁରଜ ମେହେର, ସମେତ ଏହି ପ୍ରତିବାଦ ଯାତ୍ରାରେ ସିନାପାଲି ବ୍ଲକ ଅଞ୍ଚଳର ବିଭିନ୍ନ ସମାଜର ସଂଗଠନ, ଯୁବକ ସଂଘ, ଶତାଧିକ ମହିଳା ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.