ଲଳିତ ଥିଲେ ସର୍ବହରାର ଆଶା ଓ ବିଶ୍ୱାସର ପ୍ରତୀକ

  • ଲଳିତ ନାୟକ ସ୍ମୃତି ସପ୍ତାହ ଉଦ୍‌ଘାଟିତ : ମେଗା ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ଟ୍ରେଡ ୟୁନିୟନ ନେତା, ସୁସଙ୍ଗଠକ ତଥା ସର୍ବହରାର ସାଥୀ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବୁଧବାର ଠାରୁ ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ ଆରମ୍ଭ ହୋଇଛି । ଲଳିତ ନାୟକ ସ୍ମୃତି କମିଟି ଏବଂ ଲଳିତ ନାୟକ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ପ୍ରଥମ ଦିନ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମେଗା ରକ୍ତଦାନ ଶିବିର ଏବଂ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ରାଜ୍ୟସଭା ସଦସ୍ୟ ସୁବାସ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିବା ସହ ସ୍ମୃତି ସଭାରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ଶ୍ରମିକମାନଙ୍କ ଯାବତୀୟ ସମସ୍ୟା ବୁଝିବା ଓ ଏହାର ସମାଧାନ ପନ୍ଥା ବାହାର କରିବା ଦିଗରେ ଲଳିତ ନାୟକ ପ୍ରେରଣାର ଉତ୍ସ ଥିଲେ । ଲଳିତ ବାବୁଙ୍କ ନିଷ୍ଠା ଗଭୀର ଭାବେ ତାଙ୍କୁ ପ୍ରଭାବିତ କରିଥିଲା । ଲଳିତ ବାବୁ ଯେବେ ଭୁବନେଶ୍ୱର ଯାଉଥିଲେ ସେଠାରେ ତାଙ୍କୁ ଭେଟୁଥିଲେ । ସାଙ୍ଗରେ ନେଇଥିବା ଶ୍ରମିକ, କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରୁଥିଲେ । ସଚିବାଳୟରୁ ଯାବତୀୟ ସ୍ତରରେ ସେ ଯାଇ ପହଞô୍ଚ ଯାଉଥିଲେ । ଶ୍ରମିକ କର୍ମଚାରୀ, ରିକ୍ସାବାଲା, ଅଟୋଚଳକ, ଟ୍ୟାକ୍ସି ଡ୍ରାଇଭର, ପାଣି ପାଇପ କର୍ମଚାରୀ, ସଫେଇ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମଚାରୀ, ଚୁକ୍ତିଭିତ୍ତିକ ଶିକ୍ଷକ, ଅଧ୍ୟାପକ, ବିଜୁଳି କର୍ମଚାରୀ, ଠିକା କର୍ମଚାରୀ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ଚତୁର୍ଥଶ୍ରେଣୀ କର୍ମଚାରୀ ସମସ୍ତଙ୍କ ପାଇଁ ଥିଲେ ଆଶା ଓ ବିଶ୍ୱାସର ପ୍ରତୀକ । ପଶ୍ଚିମ ଓଡିଶାର ସେ ଜଣେ ଏମିତି ନେତା ଥିଲେ ଯାହାଙ୍କ ଉପରେ ସାଧାରଣ ଗରିବ ଖଟିଖିଆଙ୍କ ଆସ୍ଥା ବିଶ୍ୱାସ ରହିଥିଲା । ସମାଜସେବା କ୍ଷେତ୍ରରେ ଲଳିତ ବାବୁ ଶତ ପ୍ରତିଶତ ସମାଜସେବୀ ଥିଲେ । ଅଚିହ୍ନା ମୃତଦେହକୁ ସକ୍ରାର କରିବା, ଅଚିହ୍ନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା, ଗରିବ ଲୋକଙ୍କୁ ସହାୟତା ଦେବା ଲଳିତ ନାୟକଙ୍କ ସ୍ୱତନ୍ତ୍ରତା ଥିଲା ବୋଲି ସେ କହିଛନ୍ତି । ଲଳିତ ନାୟକଙ୍କ ସ୍ମୃତି ରକ୍ଷା ହେବା ନିହାତି ଜରୁରୀ । ସ୍ମୃତି କମିଟି ଏବଂ ଫାଉଣ୍ଡେସନ୍‌ ଜରିଆରେ ସରକାରଙ୍କୁ ଆମେ ଜମି ମାଗିବା ଏବଂ ଏଠାରେ ଲଳିତ ନାୟକ ସେବାକେନ୍ଦ୍ର ପ୍ରତିଷ୍ଠା କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏହି ସେବାକେନ୍ଦ୍ରରେ ବଲାଙ୍ଗୀର ଜିଲାର ପ୍ରାୟ ୩୦ ଲକ୍ଷ ଶ୍ରମଜୀବୀ ଉପକୃତ ହେବା ସହ ସମଗ୍ର ପଶ୍ଚିମ ଓଡିଶାର ଏବଂ ସାରା ଓଡିଶାର ଲୋକେ ଏଥିରୁ ଲାଭବାନ ହେବେ ବୋଲି ସେ କହିଥିଲେ । ସ୍ମୃତି କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ କମିଟି ଉପଦେଷ୍ଟା ପଦ୍ମଚରଣ ଆଚାର୍ୟ୍ୟ, ସମ୍ପାଦକ ପ୍ରଭାକର ମିଶ୍ର, ଅର୍ଥ କମିଟି ସମ୍ପାଦକ ରତନ ମହାରଣା, ଲଳିତ ନାୟକ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ଦୀପକ ରଞ୍ଜନ ନାୟକ ମଞ୍ଚାସୀନ ଥିଲେ । ଲଳିତ ନାୟକଙ୍କ ସେବାଭାବକୁ ବଜାୟ ରଖିବା ଦିଗରେ କମିଟି ଓ ଫାଉଣ୍ଡେସନ୍‌ କାମ କରିବ ବୋଲି ସଭାପତି ପାଣିଗ୍ରାହୀ କହିଥିଲେ । ସଭାକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ଶେଷରେ ସମ୍ପାଦକ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିକୂଳ ପାଗ ସତ୍ତେ୍ୱ ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ସ୍ମୃତି ସପ୍ତାହ ୧୮ ତାରିଖ ପର୍ୟ୍ୟନ୍ତ ପାଳନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଶ୍ରୀ ସିଂଙ୍କ ସହଧର୍ମିଣୀ ଡା ନିବେଦିତା ଦାସ, ପୂର୍ବ ନଗରପାଳ ସନ୍ତୋଷିନୀ ବେହେରା, ସରିତା ବେହେରା, ଚାଇନା ମହାନ୍ତି, କୁନୁ ପଣ୍ଡା, ଉଦିତ୍‌ ଚନ୍ଦ୍ର ପଣ୍ଡା, ମନୋରଞ୍ଜନ ଯୋଷୀ, ପାର୍ଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱଜିତ୍‌ ଦାଶ, ଆନଂଦ ଚଂଦ୍ର ସାହୁ, ଘନ ପଶାୟତ, ସୋମନାଥ ମିଶ୍ର, ବିକେକାନନ୍ଦ ପଟେଲ, କିଶୋର ମିଶ୍ର, ଭବାନୀ ଶଙ୍କର ଶତପଥି, ଅଙ୍କୁଶ ପାଣ୍ଡିଆ, ଧର୍ମେନ୍ଦ୍ର ନନ୍ଦ, ଗୋପାଲଜୀ ପାଣିଗ୍ରାହୀ, ସୁଧୀର ପଣ୍ଡା, ଲୋଟସ ଷଡଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସଭାପରେ ଭୀମଭୋଇ ମେଡିକାଲ ହସ୍ପିଟାଲରେ ରୋଗୀଙ୍କ ଫଳବଣ୍ଟନ ଓ ଆଶ୍ରାର ଅନ୍ତେବାସୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂ କମ୍ବଳ ବଣ୍ଟନ କରିଥିଲେ । ହସ୍ପିଟାଲରେ ଅଧିକ୍ଷକ ଡା ମହେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 3 =