ମାସ୍କ ଦୁର୍ନୀତି ପ୍ରସଙ୍ଗ : ରାଜ୍ୟ ଔଷଧ ନିଗମ ତଥ୍ୟ ଦେବା ପାଇଁ ମନା କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମୁକାବିଲା ପାଇଁ କୋଟି କୋଟି ଟଙ୍କାର ମାସ୍କ ଏବଂ ପିପିଇ କିଟ୍‌ ରାଜ୍ୟ ସରକାର କିଣିଛନ୍ତି । ରାଜ୍ୟ ସରକାର କଣିଥିବା ମାସ୍କ ଓ ପିପିଇ କିଟ୍‌ର ଦର ଏବଂ ସମୂଦାୟ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ରାଜ୍ୟ ଔଷଧ ନିଗମକୁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଗତ ମଇ ମାସରେ ମାଗିଥିଲେ । ରାଜ୍ୟ ଔଷଧ ନିଗମ କରୋନାଜନିତ ଜରୁରୀ ପରିସ୍ଥିତି ଯୋଗୁଁ ତଥ୍ୟ ଦେବା ପାଇଁ ନିର୍ଦ୍ଧାରିତ ସମୟଠାରୁ ଅଧିକ ଏକ ମାସ ସମୟ ଲାଗିବ ବୋଲି ପଣ୍ଡାଙ୍କୁ ଜଣାଇଥିଲେ । କିନ୍ତୁ ଏହି ସମୟ ଅବଧି ମଧ୍ୟ ଶେଷ ହେଲା ପରେ ତଥ୍ୟ ପ୍ରଦାନ ପାଇଁ ପୁଣି ଅଧିକ ଏକ ମାସ ଲାଗିବ ବୋଲି ଔଷଧ ନିଗମ ପକ୍ଷରୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆ ଯାଇଥିଲା । କିନ୍ତୁ ଶେଷରେ ଔଷଧ ନିଗମ ଚିଠି ନଂ.୧୧୭୯୪/ଓଏସଏମସିଏଲ, ତା ୧୪/୯/୨୦ ଯୋଗେ ଜଣାଇଛନ୍ତି ଯେ, ଏହି ବିଷୟ ମାନ୍ୟବର ହାଇକୋର୍ଟରେ ବିଚାରଧୀନ ଥିବା ଯୋଗୁଁ ଏ ସମ୍ପର୍କରେ ତଥ୍ୟ ଦିଆଯିବନାହିିଁ । କିନ୍ତୁ ଏ ସମ୍ପର୍କରେ ମାନ୍ୟବର ହାଇକୋର୍ଟ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବାରଣ କରି ନାହାନ୍ତି । ହାଇକୋର୍ଟ ଯେଉଁ ତଥ୍ୟକୁ ପ୍ରଘଟ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିବେ ସେହି ତଥ୍ୟକୁ ସାର୍ବଜନୀନ କରାଯାଇପାରିବ ନାହିଁ ଏବଂ ଏ କ୍ଷେତ୍ରରେ ଏଭଳି ନିର୍ଦ୍ଦେଶ ହାଇକୋର୍ଟ ଦେଇନଥିବା ପଣ୍ଡା କହିଛନ୍ତି । ରାଜ୍ୟ ଔଷଧ ନିଗମ କେବଳ ତଥ୍ୟକୁ ସାର୍ବଜନୀନ ନକରି ଲୁଚାଇ ଦେବା ପାଇଁ ଏଭଳି ବାହାନା କରୁଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ତଥ୍ୟ ପ୍ରଦାନ ପାଇଁ ବିଳମ୍ବ କରି ଦୁର୍ନୀତିକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଥିବା ସେ ଅଶଙ୍କା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାକୁ ନେଇ ବଡ ଦୁର୍ନୀତି ହୋଇଥିବା କଥା ରାଜ୍ୟର ବିରୋଧୀ ଦଳମାନେ ଦୀର୍ଘ ଦିନରୁ ଅଭିଯୋଗ କରି ଆସୁଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.