
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ହାପ୍ ମାରାଥନ। ଆସନ୍ତା ନଭେମ୍ବର ୨୯ ତାରିଖରେ ସହରରେ ଏହି ମାରାଥନ ଆୟୋଜିତ ହେବ। ଏନେଇ ହେପ୍ପୀ ଫିଟ୍ ସ୍ପୋର୍ଟ୍ସ ଫାଉଣ୍ଡେସନ ପକ୍ଷରୁ ବିକାଶ ଅଡିଟୋରିୟମରେ ମାରାଥନର ପ୍ରୋମୋ ଲଞ୍ଚ କରାଯାଇଛି। ଇତିମଧ୍ୟରେ ମାରାଥନ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି। ଏହି ଦୌଡ଼ରେ ପ୍ରାୟ ୮୦୦ ଜଣ ରନର୍ସ ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଦୌଡ଼ ପ୍ରତିଯୋଗିତା ନୁହେଁ, ନିଶାମୁକ୍ତ ବରଗଡ଼ ଗଠନର ବାର୍ତ୍ତା ନେଇ ଏହି ହାପ୍ ମାରାଥନ ଆୟୋଜନ କରାଯାଉଛି । ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କୁ ସଚେତନ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡି. ମୁରୁଲି କ୍ରିଷ୍ଣା କହିଛନ୍ତି । ବରଗଡ଼ରେ ପ୍ରଥମ ଥର ହେଉଥିବା ଏହି ହାପ୍ ମାରାଥନକୁ ନେଇ ରନର୍ସ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।