jayashree

ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଉଦ୍‌ଘାଟିତ

  • ସଂସ୍କାର ଓ ପରମ୍ପରାକୁ ଛାଡ଼ି ମଣିଷର ଆତ୍ମା ଅନ୍ତଃସାର ଶୂନ୍ୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସହରରେ ୪ ଦିନିଆ ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ମହା ଆଡ଼ମ୍ବରରେ ଉଦ୍‌ଘାଟିତ ହୋଇଯାଇଛି । ଶହୀଦ ସ୍ମୃତି ଭବନ ନିକଟ ଶିଶୁ ଉଦ୍ୟାନ, ମ୍ୟୁନିସିପାଲିଟି ଗେଷ୍ଟ ହାଉସ ଓ କଲ୍ୟାଣ ମଣ୍ଡପରେ ଏହି ମହୋତ୍ସବ ଆୟୋଜିତ ହେଉଛି । ଉଦ୍‌ଘାଟନୀ ଉତ୍ସବରେ ଶହ ଶହ ଶିଶୁ, ଅଭିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପିଲାମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ଜଉ କଣ୍ଢେଇ କର୍ମଶାଳା ଆର୍ଟ ଗ୍ୟାଲେରୀ ସହ ମହୋତ୍ସବ ଆରମ୍ଭ ହୋଇଥିଲା । ଏହି ଅବସରରେ ଉଦ୍‌ଘାଟକ ଭାବେ ପୁରୀ ଗୌରାଙ୍ଗ ମଠ ପୀଠାଧୀଶ ମହାନ୍ତ ବାବାଜୀ ସନତସୁଜାତା ନନ୍ଦ ଦାସ କହିଥିଲେ, “ସଂସ୍କାର ଓ ପରମ୍ପରାକୁ ଛାଡ଼ି ମଣିଷର ଆତ୍ମା ଅନ୍ତଃସାର ଶୂନ୍ୟ । ଆଜିର ପିଲାମାନେ ମୋବାଇଲ୍ ଓ ଆଧୁନିକତା ଭିତରେ ହଜି ଯାଉଛନ୍ତି । ସେମାନଙ୍କୁ ନିଜ ମାଟି, ନିଜ ସଂସ୍କୃତି ଓ ନିଜ ପରମ୍ପରା ସହ ଯୋଡ଼ିବା ହିଁ ମୟୂରୀର ମୁଖ୍ୟ ଉଦ୍ଦେଶ୍ୟ” । ସେହିପରି ମୁଖ୍ୟ ଅତିଥି ଭାବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପିଲାମାନଙ୍କୁ ଓ ଅଭିଭାବକ ମାନଙ୍କୁ ସୁନ୍ଦର ସଶକ୍ତ ସମାଜ ଗଠନ କରିବାକୁ ହେଲେ ଶ୍ରବଣ କୁମାର ଭଳି ସୁପୁତ୍ରର ଜୀବନ ଶୈଳୀ ଓ ଆଦର୍ଶକୁ ଆପଣାଇବାକୁ ପଡ଼ିବ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ରାଜ୍ୟ ଜନଜାତି ସଭାପତି କାନ୍ଦରା ସୋରେନ ପ୍ରମୁଖ ଉପସ୍ଥିତ ରହି କୁନିକୁନି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ମହୋତ୍ସବରେ ପିଲାମାନଙ୍କ ପାଇଁ ୬୦ରୁ ଅଧିକ ପ୍ରତିଯୋଗିତା ଓ ମା’ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ରହିଛି । ବାଲୁକା କଳା, କାର୍ଟୁନ ଆର୍ଟ, ସ୍ମକ୍ ଆର୍ଟ, ଜଉ କଣ୍ଢେଇ, ଲାଇଭ୍ ପେଣ୍ଟିଂ, ମୁଁ ହେବି କୁନି ରିପୋର୍ଟର, ମୁଁ ମୟୂରଭଞ୍ଜିଆ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି । ଏହି ଅବସରରେ ଚଳିତ ବର୍ଷର ସଂସ୍କାର ଶିଶୁ ମହୋତ୍ସବର ଥିମ ସଙ୍ଗ ଜିଙ୍ଗାଲାଲା ଲୋକାର୍ପଣ ହୋଇଥିଲା । ମୁଖ୍ୟ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୁକ୍ରବାର ସନ୍ଧ୍ୟାରେ ଶିଶୁ ନାଟକ ମଞ୍ଚସ୍ଥ ହେବ । ୧୪ ତାରିଖରେ ଭବ୍ୟ ପଥଉତ୍ସବ ଆୟୋଜିତ ହେବ । ମୁଖ୍ୟ ଆୟୋଜକ ତଥା ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ କହିଛନ୍ତି ଯେ “ମୟୂରୀ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ପିଲାଙ୍କୁ ମୋବାଇଲ୍ ଛାଡ଼ି ବହି ଧରିବାକୁ, ମା’ ମାଟିକୁ ଭଲ ପାଇବାକୁ ଶିଖାଇବା ସହ ଅନ୍ତର୍ନିହିତ ପ୍ରତିଭାକୁ ପ୍ରୋତ୍ସାହିତ କରିବ। “ଉଦ୍‌ଘାଟନ ଦିନରୁ ହିଁ ବାରିପଦା ଶିଶୁ ମହୋତ୍ସବର ରଙ୍ଗରେ ରଙ୍ଗାୟିତ ହୋଇଉଠିଛି ।

Leave A Reply

Your email address will not be published.