
ଟିଟିଲାଗଡ଼, (ଖୁସିରାଣୀ ସାହୁ) : ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମାଞ୍ଚଳରେ ଜୀବିକାର ନୂଆ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଟିଟିଲାଗଡ଼ରେ ଆୟୋଜିତ ହୋଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା । ଟିଟିଲାଗଡ଼ ମିଶନ ଶକ୍ତି ପଡ଼ିଆଠାରେ ଅନୁଷ୍ଠିତ ଏହି ମେଳାକୁ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ମେଳାରେ ଚାଷୀ ଓ ପଶୁପାଳକଙ୍କୁ ମତ୍ସ୍ୟଚାଷ, ଗୋପାଳନ, ଛେଳି ଓ କୁକୁଡ଼ା ପାଳନ ଭଳି ବିଭିନ୍ନ ଜୀବିକାଭିତ୍ତିକ କାର୍ଯ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ସରକାରୀ ଯୋଜନାର ସୁଯୋଗ ନେବା ସହ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତି ଆପଣାଇ କିପରି ଅଧିକ ଲାଭବାନ ହୋଇପାରିବେ, ସେନେଇ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରକୁ ଆତ୍ମନିର୍ଭରଶୀଳତାର ମାଧ୍ୟମ କରିବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।