ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର : ଶହୀଦ ସପ୍ତାହ ପାଳନ ପାଇଁ ଆହ୍ୱାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଗୋଛାପଡା ଥାନାର ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ପଞ୍ଚାୟତର ଡେରାକୁମ୍ପା ଗାଁ ନିକଟରେ ଥିବା ଡ୍ରାଗନ ବଗିଚା ନିକଟରେ ଗୁରୁବାର ସକାଳୁ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସେହିଭଳି କୁଏରମାଣ୍ଡୁ, ପାହିରାଜୁ ଓ ବାଲନ୍ଦାପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ମାଓ ବ୍ୟାନର ଲାଗିଥିବା ଖବର ମିଳିଛି । ବ୍ୟାନରରେ ଜୁଲାଇ ୨୭ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ସିପିଆଇ ମାଓବାଦୀ ସଙ୍ଗଠନ ତରଫରୁ ଏହି ମାଓ ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି । ଏହି ମାଓ ବ୍ୟାନର ଦେଖିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ଓ ସୁରକ୍ଷା ବାହିନୀ ଅନେକ ଥର ମୁହାଁମୁହିଁ ହୋଇଥିବା ବେଳେ କିଛି ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ ।

Leave A Reply

Your email address will not be published.