csstore

ନାଟକ ‘ଆମ ଘର’ ସୁବର୍ଣ୍ଣପୁରଠାରେ ମଂଚସ୍ଥ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବିଶ୍ୱ ମହାମାରୀ କରୋନା ଓ ସମସାମୟିକ ପରିସ୍ଥିତିରେ ଜଣେ ଦାଦନ ଶ୍ରମିକର ସାମାଜିକ ଗତି ଓ ସ୍ଥିତିକୁ ନେଇ ନାଟକ ‘ଆମ ଘର’ ସୁବର୍ଣ୍ଣପୁରଠାରେ ମଂଚସ୍ଥ ହୋଇଯାଇଛି । ଓଡିଶାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚେତନା, ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଏନଜିଓସିସି ହଲରେ ମଞ୍ଚସ୍ଥ ହୋଇଥିବା ଏହି କ୍ଷୁଦ୍ର ନାଟକ ମଣିଷକୁ ସବୁ ପ୍ରକାର ଦୁଃସ୍ଥିତିରେ ସାମାଜିକ ସଂହତିକୁ କେମିତି ଯୋଡି ଜୀବନ ଜିନ୍ଦାବାଦ୍ ବୋଲି ଭାବିବ ତାକୁ ନେଇ କାହାଣୀଟି ପରିପୃଷ୍ଟ ହୋଇଛି । ମାତ୍ର ୧ଘଣ୍ଟା ଅବଧିର ନାଟକରେ କରୋନା ସମୟର ସାମାଜିକ ପରିସ୍ଥିତି, ସରକାରୀ କଟକଣା ଓ ମଣିଷ ମନର ଦ୍ବନ୍ଦ ସହ ସର୍ବୋପରି ଜଣେ ବିଦେଶାଗତ ଦାଦନ ଶ୍ରମିକର କରୁଣ କଥା ଓ ବ୍ୟଥାକୁ ଖୁବ ସୁନ୍ଦର ଭାବେ ଚିତ୍ରଣ କରାଯାଇଥିବାବେଳେ କଳାକାରମାନଙ୍କର ନିଖୁଣ ଅଭିନୟରେ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି । ନାଟ୍ୟଚେତନାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡଃ ସୁବୋଧ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନାଟକ ‘ଆମ ଘର’ ଗତ ଡିସେମ୍ବର ୧୬ ତାରିଖରୁ ଓଡିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ କରୋନା କଟକଣା ମଧ୍ୟରେ ନାଟ୍ୟ ଯାତ୍ରା ଅଭିଯାନରେ ଭ୍ରାମ୍ୟମାଣ ଭାବେ ବୁଲି ବୁଲି ମଞ୍ଚରେ ନାଟକ ପ୍ରସ୍ତୁତ କରି ନାଟ୍ୟପ୍ରେମୀଙ୍କ ପ୍ରିୟଭାଜନ ହୋଇପାରିଛି । ନାଟ୍ୟଚକ୍ର, ସୁବର୍ଣ୍ଣପୁର ତଥା ନାଟ୍ୟକର୍ମୀ ମନୋଜ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ସାଂସ୍କୃତିକ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ଓ ବରିଷ୍ଠ ଆଇନଜୀବି ତଥା ସମାଜକର୍ମୀ ଗୌରୀଶ୍ୟାମ ପଣ୍ଡା ଅତିଥି ଭାବେ ଯୋଗଦେଇଥିବାବେଳେ ସୁବର୍ଣ୍ଣପୁରର କଳାଗ୍ରାହୀ ନାଟ୍ୟପ୍ରେମୀମାନେ ନାଟକଟିକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.