ଉମା ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗର ସମୀକ୍ଷା କଲେ ବିଡିଓ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରି ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ ଶୁକ୍ରବାର ଉମା ପଞ୍ଚାୟତକୁ ଆସି ଅଭିଯୋଗକାରୀ ସଭ୍ୟ/ସଭ୍ୟା, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ଇଓ ଏବଂ ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ଆବାସ ଦୁର୍ନୀତି, ମନରେଗା ଦୁର୍ନୀତି ଏବଂ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେଉନଥିବା, ସଭ୍ୟ/ସଭ୍ୟାଙ୍କ ବିନା ଅନୁମୋଦନରେ କାର୍ୟ୍ୟ କରିବା, ମୃତବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିବା ଏବଂ କାର୍ୟ୍ୟକ୍ଷେତ୍ରରେ ସୂଚନା ଫଳକ ନ ଲଗାଇ ଇଓ ଓ ସରପଞ୍ଚଙ୍କ ମିଲି-ଭଗତରେ ଟଙ୍କା ଆତ୍ମସାତ କରିବା ଆଦି ଅଭିଯୋଗର ସମୀକ୍ଷା କରିଥିଲେ ବିଡିଓ ଏବଂ ସମସ୍ତ କାଗଜାତ ଯାଞ୍ଚକରି ରେକର୍ଡ ଠିକ ଥିବା କହିଥିଲେ । କିପରି ଠିକ ଭାବରେ ପଞ୍ଚାୟତର ଉନ୍ନୟନ କାର୍ୟ୍ୟ ହୋଇ ପାରିବ, ସେ ବିଷୟରେ ସରପଞ୍ଚ ଓ ଇଓଙ୍କୁ ତାଗିତ କରିଥିଲେ । ଆଲୋଚନା ଭିତରେ ପଞ୍ଚାୟତର କିଛି ଜନସାଧାରଣ ରାସନ ସମସ୍ୟା ଉପରେ ବିଡିଓଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟା ବିଚାରକୁ ନିଆଯିବ ବୋଲି କହିଥିଲେ । ଘଟଣା ବିଷୟରେ ସରପଞ୍ଚ ଯଜ୍ଞେଶ୍ୱରୀ ରଣାଙ୍କୁ ପଚାରିବାରୁ ମୁଁ କିଛି କହିପାରିବି ନାହିଁ, ଅଭିଯୋଗକାରୀମାନେ ଜଣେ ମହିଳା ସରପଞ୍ଚଙ୍କୁ ବଦନାମ ଚରିବାକୁ ଷଡଯନ୍ତ୍ର କରିଛନ୍ତି ବୋଲି ଜଣାଇଥିଲେ । ଇଓ ନରେନ୍ଦ୍ର ବେହେରାଙ୍କ ମତାମତ ନେବାରୁ ଆମ ପଞ୍ଚାୟତରେ ଦୂର୍ନୀତି ହୋଇଛି କିନ୍ତୁ ଅନ୍ୟ ପଞ୍ଚାୟତ ଅପେକ୍ଷା ଭଲ କାମ ହୋଇଛି କହିଛନ୍ତି । ସୂଚନାଯୋଗ୍ୟ ଯେ, ପଞ୍ଚାୟତର ସମସ୍ତ ଉନ୍ନୟନ କାମ ସରପଞ୍ଚଙ୍କ ଖୋଦ ସ୍ୱାମୀଙ୍କ ଇଚ୍ଛାରେ ହେଉଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.