ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି ପ୍ରଭାବ ପଡୁଛି । ରାଜ୍ୟ ସରକାରଙ୍କ ପୁଜା ଗାଇଡଲାଇନ ଅନୁସାରେ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜାରେ କୌଣସି ପ୍ରକାରର ସଙ୍ଗୀତ, ସାଂସ୍କୃତିକ କାର୍ୟ୍ୟକ୍ରମ ତଥା ମନୋରଞ୍ଜନ ଭଳି କାର୍ୟ୍ୟକ୍ରମ ହୋଇପାରିବ ନାହିଁ । ଏହା ସରକାରଙ୍କ ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଆମକୁ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ପଡିବ । ହେଲେ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଗୋଟିଏ କଳାକାର ୭୦/୮୦ ହଜାର ଟଙ୍କା କଳା ପ୍ରଦର୍ଶନ କରି ରୋଜଗାର କରିଥାନ୍ତି । କିଏ ବାଜା ବଜାଇ, କିଏ ଅଭିନୟ କରି, କିଏ ଗୀତ ଗାଇ ତ କିଏ ନାଚ କରି ନିଜ ପରିବାରକୁ ପରି ପାଷାଣ କରିଥାଏ । ଅପେରା, ରାମଲୀଳା, ନାଟକ, ଅର୍କେଷ୍ଟ୍ରା, ଦୁଲ୍‌ଦୁଲି, ପାରମ୍ପରିକ ଗଣ୍ଡା ବଜା, ବେଣ୍ଡ୍ ବଜା, ପାଲା, ସଞ୍ଚାର, କରମ୍‌ସାନୀ, ଘୁମୁରା ନାଚ, ଘୋଡା ନାଚ ଓ ଲୋକ ନୃତ୍ୟ ଇତ୍ୟାଦି ସବୁ କଳା ପ୍ରଦର୍ଶନ ଏହି ମହାମାରୀ କରୋନା ଭାଇରସ୍ ପାଇଁ ବନ୍ଦ ହେଇଗଲା । କଳାକାରମାନଙ୍କର କେବଳ ଗୋଟିଏ ପେଷା କଳା ପ୍ରଦର୍ଶନ କରି ନିଜର ପରିବାରକୁ ସୁରୁଖୁରୁରେ ଚଳାଇଥାନ୍ତି । କିନ୍ତୁ ଏ ସବୁ ଆଶା ଆଶାରେ ରହିଗଲା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ନିରୀହ, ଗରିବ, ନିରାଶ୍ରୟ ଅସହାୟ କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ସଭାପତି ତଥା ଜଣେ ସଫଳ ନାଟ୍ୟକାର ନିର୍ଦ୍ଦେଶକ ଲଳିତ ଜଗତ କହିଛନ୍ତି । ସବୁ ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍ଦ ହେଇଗଲା କଳାକାର ବଞ୍ଚିବେ କେମିତି ? ନିଜ ପରିବାରକୁ ପରି ପୋଷଣ କରିବେ କେମିତି ଏଇଟା ବଡ଼ ପ୍ରଶ୍ନ । ଗଣ୍ଡା ବଜାକୁ ପୂଜା ମଣ୍ଡପରେ ସାମିଲ କରାଯାଉ, କାହିଁକିନା ମାଆଙ୍କ ଆଳତୀ ସମୟରେ ଢୋଲ, ନିଶାନ, ତାଶା, ମୁହୂରୀ ବାଜିଲେ ମାଆଙ୍କ ଆଳତୀ ଶୋଭାପାଏ । ସେମାନେ ମଧ୍ୟ ପୂଜା ଗାଇଡଲାଇନ ପାଳନ କରିବେ । ରାଜ୍ୟ ସରକାର ଆଗରୁ କଳାକାରମାନଙ୍କର ଡାଟାବେସ ତିଆରି କରିଛନ୍ତି । ତାକୁ ଆଧାର କରି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କେତକ କଳାକାର କଳାକାର ଭତ୍ତା ପାଉଛନ୍ତି, କିନ୍ତୁ ଅନେକ କଳାକାର ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ଶୀଘ୍ର ଚିହ୍ନଟ କରି ଏଥିରେ ସାମିଲ କରାଯାଉ । ezcc Kolkata (eastern zone culture center) covid-19ର କଟକଣା ଯୋଗୁଁ କଳାକାରମାନେ ଅନ୍‌ଲାଇନ ପାର୍‌ଫର୍‌ମେନ୍ସ କରି ପଠାଇଲେ କଳାକାରମାନଙ୍କୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ସରକାର । ଠିକ୍ ସେମିତି ରାଜ୍ୟ ସରକାର ମଧ୍ୟ ଏଭଳି ପରିସ୍ଥିତିରେ କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଶ୍ରୀ ଜଗତ ଦାବୀ କରିଛନ୍ତି ।

Leave A Reply

Your email address will not be published.