jayashree

ଅଦିନେ ମଲ୍ଲୀ ମହକ : ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟାରେ ବିଭୋର ହେଲେ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ ‘ଉତ୍ତମ୍ ଗୀତ୍ ସଂଗୀତ୍’ ଆନୁକୂଲ୍ୟରେ ଓଡ଼ିଶାର ମହାନ୍ ସଙ୍ଗୀତଜ୍ଞ ସ୍ଵର୍ଗତ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏକ ନିଆରା ସଂଗୀତ ସନ୍ଧ୍ୟା ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପହିଲି ରଜ ଅବସରରେ ‘ଅଦିନେ ମଲ୍ଲୀ ମହକ’ ଶୀର୍ଷକ ଏହି ସଙ୍ଗୀତ ସନ୍ଧ୍ୟାରେ ରାଉରକେଲା ସ୍ମାର୍ଟ ସିଟିର ସ୍ଵାଧୀନ ନିର୍ଦ୍ଦେଶିକା ଡଃ. କଲ୍ୟାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଲୁଙ୍ଗା ସ୍ଥିତ ଅନାମିକା ଏଣ୍ଟରପ୍ରାଇଜର ସଂସ୍ଥାପକ ଆଶୁତୋଷ ସାହୁ, ଉତ୍ତମ୍ ଗୀତ୍ ସଂଗୀତ୍‌ର ପୃଷ୍ଠପୋଷକ ରବୀନ୍ଦ୍ର ବେହେରା, ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଙ୍ଗୀତ ସନ୍ଧ୍ୟା ଆରମ୍ଭ ହୋଇଥିଲା । କଣ୍ଠଶିଳ୍ପୀ ଉତ୍ତମ କୁମାର ଖଟୁଆ, ପ୍ରଫୁଲ୍ଲ କୁମାର ମଙ୍ଗଳ, ସତ୍ୟବ୍ରତ ମହାନ୍ତି, ଶୈଳେନ୍ଦ୍ର କୁମାର ମିଶ୍ର, ସତ୍ୟବ୍ରତ ସାହୁ, ରଶ୍ମି ରଞ୍ଜନ ଦାସ, ସୁନିତା ବିଶ୍ଵାଳ, ସଙ୍ଗୀତା ପାତ୍ରଙ୍କ ସଙ୍ଗୀତ ପରିବେଷଣ ବେଶ୍ ଉଚ୍ଚକୋଟୀର ହୋଇଥିଲା । ପ୍ରଫୁଲ୍ଲ କରଙ୍କ ରଚନା, ସ୍ଵର ସଂଯୋଜନା ଏବଂ କଣ୍ଠଦାନ ବିଭିନ୍ନ ତତ୍କାଳୀନ ଲୋକପ୍ରିୟ ଲଘୁ ସଙ୍ଗୀତ ଓ ଚଳଚ୍ଚିତ୍ର ସଙ୍ଗୀତର ସମନ୍ଵୟକୁ ଶ୍ରୋତାଗଣ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖାଯାଇଥିଲା । ଶେଷ ଶ୍ରାବଣ, ସିନ୍ଦୂର ବିନ୍ଦୁ, ମା’ ଓ ମମତା ଆଦି ଚଳଚ୍ଚିତ୍ର ତଥା ପ୍ରଫୁଲ୍ଲ କରଙ୍କ ପ୍ରସିଦ୍ଧ ଲଘୁ ସଙ୍ଗୀତ ଗୁଡିକର ପରିବେଷଣ ବେଶ୍ ମନଛୁଆଁ ହୋଇଥିଲା । ରଶ୍ମି ରଞ୍ଜନ ଦାସଙ୍କ ମଞ୍ଚ ପରିଚାଳନାରେ ଓଡ଼ିଆ କବିତା, ଗୀତି କବିତାର ସମନ୍ଵୟରେ ଓଡ଼ିଆ ସଙ୍ଗୀତ ତତ୍କାଳୀନ ପୃଷ୍ଠଭୂମିର ବର୍ଣ୍ଣନାକୁ ଶ୍ରୋତା ମଣ୍ଡଳୀ ବିହ୍ଵଳ ହୋଇ ଉପଭୋଗ କରୁଥିବା ଦେଖା ଯାଇଥିଲା । ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଗଣ ଏଭଳି ଏକ ନିଆରା ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରିଥିବା ହେତୁ ଅନୁଷ୍ଠାନ ର ସଂସ୍ଥାପକ ବିଶିଷ୍ଟ କଣ୍ଠଶିଳ୍ପୀ ଉତ୍ତମ କୁମାର ଖଟୁଆ ତଥା ଅନୁଷ୍ଠାନର ସଦସ୍ୟ ମାନଙ୍କର ଭୂରି ଭୂରି ପ୍ରସଂଶା କରିଥିଲେ । ଶେଖର କମଲ କୁନୁ ଆର୍କେଷ୍ଟା ଏହି ସଙ୍ଗୀତ ସନ୍ଧ୍ୟାରେ ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ ।

Leave A Reply

Your email address will not be published.