ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପାଇଲା ଆର୍ମି ଜେନେରାଲ୍‌ଙ୍କ ପ୍ରଶଂସା ପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ସରକାରୀ କଲେଜ ଅଟେ । ଏହି କଲେଜକୁ ଜଣେ ମେଜର ଜେନେରାଲଙ୍କ ଠାରୁ ମିଳିଛି, ଏକ ପ୍ରଶଂସାର ବାର୍ତ୍ତା । ସୂଚନା ଥାଉକି, ଏହି କଲେଜର ଭୂୟସୀ ପ୍ରଶଂସା କରି ମେଜର ଜେନେରାଲ ଅଜୟ ଶର୍ମା ଶୁଭେଚ୍ଛା ବାର୍ତ୍ତା ଓ ପ୍ରଶଂସା ପତ୍ର ପ୍ରେରଣ କରିଛନ୍ତି । ଏହି ପ୍ରଶଂସା ପତ୍ରଟି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବ୍ରହ୍ମପୁର ନିବାସୀ ଗୋପୀନାଥ ମହାପାତ୍ରଙ୍କ ସୁପୁତ୍ର ସୁବେଦାର ମେଜର ରଶ୍ମି ରଞ୍ଜନ ମହାପାତ୍ର ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ । ମେଜର ଜେନେରାଲ ନିଜ ବାର୍ତ୍ତାରେ ବିଜ୍ଞାନ ମହାବିଦ୍ୟାଳୟର ଭୂୟସୀ ପ୍ରଶଂସା କରିବା ସହିତ ଦୀର୍ଘ ଦିନ ଧରି ଏହାର ଶୈକ୍ଷିକ ଉତ୍କର୍ଷତା, ସୁସଂସ୍କାର ଓ ଦେଶସେବାର ମୂଲ୍ୟବୋଧ ସ୍ୱରୂପ ଅନେକ ଛାତ୍ରଛାତ୍ରୀଙ୍କୁ ଗଢିତୋଳିଛି, ଯାହାର ଉଦାହରଣ ହେଉଛନ୍ତି, ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସୁବେଦାର ମେଜର ରଶ୍ମୀ ରଞ୍ଜନ ମହାପାତ୍ର ବୋଲି ପରିଚୟ ଦେଇଛନ୍ତି । ସୁବେଦାର ମହାପାତ୍ର ବର୍ତ୍ତମାନ ମିଲିଟାରୀ କଲେଜ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଂଜିନିୟରିଂରେ ଜୁନିୟର କମିଶନ୍‌ଡ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ପ୍ରଶଂସାପତ୍ର ପ୍ରଦାନ ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସୁବେଦାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କିପରି ବିଭିନ୍ନ ସେନାବାହିନୀରେ ଯୋଗ ଦେଇପାରିବେ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ ସ୍ୱରୂପ ଆଲୋକପାତ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଜେନେରାଲ୍‌ଙ୍କୁ କୃତଜ୍ଞତା ଜଣାଇବା ସହିତ ଏହା ନୂତନ ପିଢ଼ିକୁ ଶ୍ରମ, ଶିଷ୍ଟାଚାର ଓ ଦୃଢ଼ ସଙ୍କଳ୍ପ ସହ ଦେଶ ସେବାରେ ପ୍ରବୃତ ହେବାକୁ ପ୍ରେରଣା ଯୋଗାଇବ ବୋଲି ବ୍ୟାଖ୍ୟା କରି କହିଥିଲେ । ସଭା ଶେଷରେ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡ଼େଟ୍‌ ସୁବେଦାର ମହାପାତ୍ରଙ୍କୁ ଗାର୍ଡ଼ଅଫ୍‌ ଅନର୍‌ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଡ଼ଃ. ଇମ୍‌ତିହାନ ଶାହାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ସଭା ପ୍ରାରମ୍ଭରେ ଅଧ୍ୟାପକ ଡ଼ଃ. ଲକ୍ଷ୍ମୀନାରାୟଣ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ଡ଼ଃ. ମିଲିମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.