ପୁଣି ଅଲୋଡା ହେଲେ ବୃଦ୍ଧା ମା’ : ପରିଣତ ବୟସ ସାଙ୍ଗକୁ ଅଜଣା ରୋଗ ଦୂର କରିଦେଲା ଜନ୍ମ କଲା ପୁଅ ଝିଅଠୁ

ବରଗଡ଼, (ନିରୋଜ କୁମାର ପାଣୀ) : ମା’ ଆଖିରେ ଲୁହ । ନିଜ ପୁଅ ଝିଅ‌ଙ୍କ ପାଇଁ ଆଖିର ଲୁହକୁ ନିଜର ପଣତ କାନିରେ ପୋଛି ଦେଉଥିବା ସେଇ ମଣିଷର ନାମ ହେଉଛି ମା’ । ପିଲାର ସବୁ ଅଝଟକୁ ମୁଣ୍ଡରେ ଆଉଁସି ନେଇ ସହିଯାଉଥାଏ ମା’ । ହେଲେ ଏଠାରେ ମା’ ହୋଇଛି ଅଲୋଡ଼ା । ଡାକ୍ତର କହିବା ପୂର୍ବରୁ ବଡ଼ରୋଗ ହୋଇଥିବା ସନ୍ଦେହରେ ନିଜ ଜନ୍ମ କଲା ପୁଅ ଝିଅ ଦୂର କଲେ ମା’କୁ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଗତକାଲି ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ଭାଇ ଜଣକ ଅତି ନମ୍ର ଭାବରେ କହିଥିଲେ ଯେ, ବରଗଡ଼ ପାଣିଛତର ପାଖରେ ଟ୍ରାନ୍ସଫର୍ମର କଡରେ ଦୀର୍ଘ ସମୟରୁ ବସି ରହିଛନ୍ତି ଜଣେ ବୃଦ୍ଧା ମହିଳା । କିଛି ପଚାରିଲେ ଠିକ୍‌ ଭାବରେ କହୁ ନାହାନ୍ତି । ରାତ୍ରି ସମୟ ଓ ଟିକେ ଟିକେ ଶୀତ ମଧ୍ୟ ହେଉଥାଏ । ଜରୁରୀ ଭାବି ସଙ୍ଗେ ସଙ୍ଗେ ପହଞ୍ଚି ଥିଲେ ସଂକ‌ଳ୍ପ ପରିବାରର ସକ୍ରିୟ ସଦସ୍ୟ ନିଧାନ ଦନ୍ତା ଓ ବିକାଶ ଭୋଇ । ସେଠାକୁ ଯାଇ ଦେଖିଲା ବେଳକୁ ଘଟଣାଟି ଅତ୍ୟନ୍ତ ଦୁଃଖଦୟକ । ବୃଦ୍ଧା ମା’ ଜଣକ କେମିତିବା ସହି ଯାଇଥିଲେ ଏତେ କଷ୍ଟ । ତାଙ୍କ ଡାହାଣ ଗଡ଼ର ତଲିପାଦରେ ଗଭୀର ଘା’ ହୋଇ ପାଦଟି ସମ୍ପୁର୍ଣ ଭାବରେ ପଚି ଯାଇଥାଏ । ବୃଦ୍ଧା ମହିଳାଙ୍କ ହାତରେ ଥାଏ ଖଣ୍ଡିଏ ବ୍ୟାଗ, ବ୍ୟାଗ ଭିତରେ କିଛି କପଡା ଓ ଖାଇବା ବାସନ ଥାଏ । ହେଲେ ମା’ ଜଣକ ନିଜ ପରିବାର ବିଷୟରେ କିଛି କହୁନଥିଲେ । କାରଣ ମା’ ମନଟା… କାହିଁକି ଘରର କଥା ଦାଣ୍ଡରେ ଗଡ଼ିବ । ପୁଅ, ବହୁ, ଝିଅ, ନାତି, ନାତୁଣୀ କାହିଁକି ହିନସ୍ତା ହେବେ ସର୍ବ ସାଧାରଣରେ । ପରେ ସଂକ‌ଳ୍ପ ପରିବାରର ସଦସ୍ୟ ମଧ୍ୟ ବୁଝିଯାଇଥିଲେ ତାଙ୍କ ମନରେ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନ ଓ ଉତ୍ତର । ବେଶ ଆଉ ବେଶି କିଛି ନପଚାରି ୧୦୮ ଆମ୍ବୁଲାନ୍ସ ସେବା ସାହାଯ୍ୟରେ ଚିକତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ନିଆ ଯାଇଥିଲା ଓ ଆବଶ୍ୟକ ଚିକତ୍ସା ହୋଇଥିଲା । ଠିକ ଏତିକିରେ ତାଙ୍କ ପରିବାର ବିଷୟରେ ମଧ୍ୟ ଖବର ମିଳିଯାଇଥାଏ । କିଛି ସମୟ ପରେ ତାଙ୍କର ପୁଅ ଓ ନାତି ଏକ ଅଟୋ ସାହାଯ୍ୟରେ ପହଞ୍ଚିଥିଲେ । ଅନେକ ଏଆଡୁ ସେଆଡୁ ଆଲୋଚନା କଲା ପରେ ସଂକ‌ଳ୍ପ ପରିବାରର ସଦସ୍ୟ ତାଙ୍କୁ ତାଗିଦ୍‌ କରିଥିଲେ ଯେ ଆଉ ପୁନର୍ବାର ଯେପରି ଏଇ ଘଟଣାର ପୁନରାବୃତ୍ତି ନହୁଏ । ସେମାନେ ମଧ୍ୟ ହଁ ଭରିଥିଲେ ଓ ନିଜ ମା’କୁ ସାଙ୍ଗରେ ନେଇ ଯାଇଥିଲେ ।

Leave A Reply

Your email address will not be published.