ସୋନପୁର ସହର ବସଷ୍ଟାଣ୍ଡ ଅଞ୍ଚଳରୁ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣାରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୋନପୁର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳରୁ ଗତକାଲି ଅପରାହ୍ନରେ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ମାଲିକ ଦେଇଥିବା ୨ଲକ୍ଷ ଦଶହଜାର ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଦୁଇ ଜଣ କର୍ମଚାରୀ ବାଇକ୍‌ରେ ଯାଉଥିବା ସମୟରେ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ହିଁ ଏକ କଳା ରଙ୍ଗର ପଲସର୍‌ ବାଇକରେ ଦୁଇଜଣ ଅଜଣା ଯୁବକ ହଠାତ୍ ବାଇକ ପଛରେ ବସିଥିବା ଶଙ୍କରଙ୍କଠାରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଛଡାଇନେଇ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଦୋକାନ ମାଲିକ ପୋଲିସରେ ଲିଖିତ ଜଣାଇବା ପରେ ପୋଲିସ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିବାସହ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ସୋନପୁର ସହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବାରମ୍ବାର ଘଟୁଥିବା ଏପରି ମାମଲାରେ ସହରବାସୀ ଭୟଭୀତ ଓ ଚିନ୍ତିତ ହୋଇଯାଇଥିବା ବେଳେ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.