csstore

୨୧ତମ ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟା : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସମ୍ମାନୀତ ଅତିଥି ଭାବେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଓ ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଯୋଗ ଦେଇଥିବା ବେଳେ ଅତିଥି କଳାକାର ଭାବେ ଗୀତିକାର ତଥା ଅଭିନେତା ଭିକାରୀ ଚରଣ ମିଶ୍ର ମଞ୍ଚାସୀନ ହୋଇଛନ୍ତି । ଆଜିର ସନ୍ଧ୍ୟାରେ କଳାକାର ରଞ୍ଜନ ପଟ୍ଟନାଏକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଅତିଥି ମାନେ । ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଦଳମାନଙ୍କୁ ଓର୍‌ମାସ୍‌ ଦ୍ୱାରା ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଛି । ଏହାସହ ସର୍ବ ଭାରତୀୟ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବଲାଙ୍ଗିରର ଦୁଲଦୁଲି ପରିଷଦର କଳାକାରମାନଙ୍କୁ ମଧ୍ୟ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଆଜିର ସନ୍ଧ୍ୟାରେ ଓଡିଆ ଟିଭି କାର୍ଯ୍ୟକ୍ରମ ‘ସାରେଗାମାପା’ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଜୟ ଅମର ସିଂହଦେଓ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଅଏଁଲାଚୁଆଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଭ୍ୟର୍ଥନା କମିଟିର ସହ ଅଧ୍ୟକ୍ଷ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର । ଆଜିର ସାଂସ୍କୃତିକ ବିଚ୍ଚିତ୍ରାରେ ବଲାଙ୍ଗିର ନଟରାଜ କଳା ପରିଷଦ, ଜୟଦୁର୍ଗା କଳା ପରିଷଦ, ଦୁଲଦୁଲି କଳା ପରିଷଦ, କଳାଧାମ୍‌, ବରଗଡର ଜିଲ୍ଲା ସଂସ୍କୃତି ପରିଷଦ, ସୋନପୁରର ଜିଲ୍ଲା ସଂସ୍କୃତି ପରିଷଦ, ତୁଷୁରାର କୃଷ୍ଣପ୍ରିୟା କଳା ପରିଷଦ, ପାଟଣାଗଡର ସାତକୁଆଁରି କଳା ପରିଷଦର କଳାକାର ମାନେ ନୃତ୍ୟ ପରିବେଷଣ କରୁଥିବା ବେଳେ ପଞ୍ଜାବର ଭାଙ୍ଗଡା ମଧ୍ୟପ୍ରଦେଶର ନରୋତା, ରାଜସ୍ଥାନର ଫଗୁନୃତ୍ୟ ଓ ଆସାମର ତିଆ ନୃତ୍ୟରେ ଆଜି ଗର୍ଜି ଉଠୁଛି କୋଶଳ କଳାମଣ୍ଡଳ ।

jayashree
Leave A Reply

Your email address will not be published.