shyamal

ସୁଲେଖିକା କଳ୍ପନା ରଥଙ୍କ ୨ଟି ପୁସ୍ତକ ଲୋକର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାରର ସଭାଗୃହରେ ସୁଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲାର ଶତାଧିକ ଲେଖକ, କବି ଓ ସଂସ୍କୃତି ସଂପନ୍ନ ବ୍ୟକ୍ତି ଯୋଗ ଦେଇଥିଲେ । କଳ୍ପନା ରଥ (୧୯୬୧) କଳାହାଣ୍ଡି ତଥା ସମଗ୍ର ଓଡ଼ିଶାର ଜଣେ ପ୍ରତିଷ୍ଠିତ ଲେଖିକା, କବି, ଶିକ୍ଷାବିଦ୍ ତଥା ଜଣେ ସଂଗଠିକା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଲେଖିକାଙ୍କର ପୂର୍ବରୁ ପ୍ରକାଶ ପାଇଥିବା ପୁସ୍ତକ ‘ବୋଉର ଶାଢ଼ୀ’ ବେଶ୍ ଲୋକପ୍ରୟତା ଅର୍ଜନ କରିଛି । ଆଜି ଯୋଗ ଦେଇଥିବା ଅତିଥି ତଥା ଶତାଧିକ ପାଠକଙ୍କ ଗହଣରେ ଶ୍ରୀରୂପା ପବ୍ଲିକେସନ୍ସ, ଭବାନୀପାଟଣା ଦ୍ୱାରା ପ୍ରକାଶିତ ଗଳ୍ପ ସଂକଳନ ‘ପ୍ରଥା’ ଓ କବିତା ସଂକଳନ ‘କଣ୍ଢେଇ’ ଲୋକାର୍ପିତ ହୋଇଯାଇଛି । ସରଳ ଓ ବୋଧଗମ୍ୟ ଭାଷାରେ କବି ରଚନା କରିଥିବା କବିତାମାନ ପାଠକଙ୍କ ହୃଦୟକୁ ବେଶ୍ ଛୁଇଁପାରିଛି । ସମାଜର ସାଂପ୍ରତିକ ବ୍ୟବସ୍ଥାକୁ କବି ନିଜର ଆକ୍ରୋଶ, ବିଦ୍ରୂପ ତଥା ବ୍ୟଙ୍ଗ୍ୟ ମାଧ୍ୟମରେ ବ୍ୟକ୍ତ କରିଛନ୍ତି ‘କଣ୍ଢେଇ’ କବିତା ସଂକଳନଟିରେ ସେହିପରି ‘ପ୍ରଥା’ ଗପବହିଟିରେ ବ୍ରାହ୍ମଣୀ ବିଧବାମାନଙ୍କ କଥା ବର୍ଣ୍ଣନା କରାଯାଇଛି । ବିଧବା ହେବା ପଛରେ ସଂପୃକ୍ତ ନାରୀଟିର କୌଣସି ଭୂମିକା ନଥାଇ ସେ ପ୍ରତିଦିନ ସେ ମରୁଥାଏ । ପ୍ରତି ସକାଳରେ ନୂଆ ଅପବାଦଟିଏ, ନୂଆ ଲାଞ୍ଛନାଟିଏ ତା’ ପାଇଁ ତିଆରି ହେଉଥାଏ । ପ୍ରଥାରେ ଥିବା ପ୍ରାୟ ସବୁ ଗପ ସେହି ବ୍ରାହ୍ମଣୀ ବିଧବାଙ୍କ କାହାଣୀ । ସମାଜରେ ଆଜି ବି ଏମିତି ଅସରନ୍ତି ପ୍ରଥାର କଷାଘାତ ସହିବାକୁ ହୁଏ ବିଧବା ନାରୀଟିଏକୁ । ଏହି କୁପ୍ରଥା ବିରୁଦ୍ଧରେ ଲେଖିକା ତୀବ୍ରସ୍ୱର ଉତ୍ତୋଳନ କରିଛନ୍ତି । ଋଢ଼ିବାଦୀ ସମାଜରେ ପରବର୍ତ୍ତନ ଆଣିବାକୁ ସେ ଆହ୍ୱାନ କରିଛନ୍ତି । ନାରୀଟିକୁ ଏପରି ସଂଘର୍ଷରୁ ମୁକୁଳାଇ ଏକ ନୂଆ ଦୁନିଆ ଗଢ଼ିବାର ସ୍ୱପ୍ନ ସେ ଦେଖିଛନ୍ତି । ଆୟୋଜିତ ଲୋକାର୍ପିତ ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ସୁକାନ୍ତ ସାହୁ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁଖ୍ୟାତ ଶିକ୍ଷାବିଦ୍ ଓ କବି ଲିଙ୍ଗରାଜ ମିଶ୍ର, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିରିଷ୍ଠ ନାଟ୍ୟକାର ଓ ଲେଖକ ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ ଓ ଲେଖକ ଉମାଶଙ୍କର କର, କବି ଲଳିତ କାନୁନ୍‌ଗୋ, ନାଟ୍ୟକାର ପରମେଶ୍ୱର ମୁଣ୍ଡ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ କବି ବିରଞ୍ଜି ନାରାୟଣ ମୁଣ୍ଡ, ଧନ୍ୟବାଦ ଅର୍ପଣ କରିଥିଲେ ଯୁବ କବି ପ୍ରତାପ ପଣ୍ଡା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନ୍ତ୍ରପାଠ କରିଥିଲେ କବି ସ୍ନେହଲତା ଷଡ଼ଙ୍ଗୀ, ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସସ୍ମିତା ରଥ । ସେହିପରି କବିଙ୍କ ପ୍ରକାଶିତ କବିତା ପୁସ୍ତକ ‘କଣ୍ଢେଇ’ରୁ କବିତା ପାଠ କରିଥିଲେ ସ୍ୱର୍ଣ୍ଣକାନ୍ତି ବୈକାର, ଅର୍ଚ୍ଚନା ମିଶ୍ର, ପ୍ରତାପ ପଣ୍ଡା, ପ୍ରଣତୀ ମିଶ୍ର, ଅନୀତା ମୁଣ୍ଡ, କାଜଲ ମହାରଣା ଓ ଗଳ୍ପ ପୁସ୍ତକ ‘ପ୍ରଥା’ରୁ ଗୋଟିଏ ଗଳ୍ପ ପାଠ କରିଥିଲେ କବି ସୁନୀତି ମୁଣ୍ଡ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶିତ ପୁସ୍ତକ ଦ୍ୱୟର ଆଲୋଚନା କରିବା ଛଳରେ କହିଥିଲେ ଯେ, ପୁସ୍ତକରେ ରଚିତ ଗଳ୍ପ ଓ କବିତା ଲେଖିକାଙ୍କ ଅନୁଭବର କଥା । ସେମାନେ କହିଥିଲେ ଯେ, ଯେଉଁ ଲେଖାରେ ଯେତେ ଅନୁଭବ ମିଶି ରହିବ ଓ ଲେଖକଙ୍କର ଯେତେ ସଂପୃକ୍ତି ରହିବ ସେ ଲେଖା ସେତେ ପାଠକାଦୃତି ଲାଭ କରିବ ଓ କାଳଜୟୀ ହେବ । କବି ତଥା ଗାଳ୍ପିକାଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲା ସଭାସ୍ଥଳ ।

purusottam
Leave A Reply

Your email address will not be published.