
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଆଜି ମହାବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜ୍ୟସ୍ତରୀୟ ଗଳ୍ପ ଲିଖନ ପୁରସ୍କାର ପାଇ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବା ଯୁକ୍ତ ତିନି ରସାୟନ ବିଜ୍ଞାନ ବିଭାଗର ସୁନାମଧନ୍ୟା ଛାତ୍ରୀ ଲେଖିକା ସାହୁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଚନ୍ଦ୍ରକାନ୍ତ ସୁନା ଉପସ୍ଥିତ ରହି ଲେଖିକାଙ୍କ ଅସାଧାରଣ ସାରସ୍ୱତ ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହ ବିଜ୍ଞାନର ଛାତ୍ରୀ ହୋଇ ମଧ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ଡ. ସରୋଜ କୁମାର ନାଏକ, ନିର୍ମଳ କୁମ୍ଭାର ଓ ଅଧ୍ୟାପିକା ମମତାମୟୀ ଗୁରୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଲେଖିକାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସାଧୁବାଦ ଜଣାଇଥିଲେ ।