centurian jitm

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ତତ୍ପର ହେଲା କୃଷି ବିଭାଗ

nschool

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କ ଚାଷଜମିକୁ ମାତ୍ର କେଇଟା ଟଙ୍କାରେ ହାତେଇବା ସହିତ ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଭଳି ଶହଶହ ଏକର ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । ଆଉ କପାରେ ଅବାଧ କୀଟନାଶକ ଔଷଧ ପ୍ରୟୋଗ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ସ୍ଥାନୀୟ ଚାଷୀ । ଏହି ଖବର ‘କୋଶଳ ପ୍ରବାହ’ରେ ପ୍ରସାରଣ ପରେ କୃଷି ବିଭାଗ ତତ୍ପର ହୋଇଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକ କୃଷି ଅଧିକାରୀ ଦାୟିତ୍ୱରେ ଥିବା ସୁଜାତା ଛତ୍ରୀଆ ଏବଂ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ପ୍ରମୁଖ ଏହି ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମ ପଂଚାୟତର ପିପିଲିପାଲି ମୌଜାରେ ଥିବା କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଏଥିସହିତ ସ୍ଥାନୀୟ ଚାଷୀଙ୍କ ସହିତ ଆଲୋଚନା କରି ଚାଷଜମିରୁ ନଷ୍ଟ ହୋଇଥିବା ଧାନଚାଷର ନମୁନା ସଂଗ୍ରହ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ନିଷିଦ୍ଧ ବିଟି କପାରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଯୋଗୁଁ ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ବିଶାଲପାଲି ଗ୍ରାମର ଶଶିକାନ୍ତ ବିଶ୍ୱାଳଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିସହିତ ସିତାରାମ ପଧାନଙ୍କ ବାଇଗଣ ଚାଷ ତଥା ଆଉ କିଛି ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି । ଅପରପକ୍ଷରେ ଏହି ବିଟିକପା ଗଛ ଯୋଗୁଁ “ସ୍କ୍ରବ ଟାଇଫସ” ନାମକ ମାରାତ୍ମକ ରୋଗ ସୃଷ୍ଟି ହେଉଥିବା ସାଧାରଣରେ ଆଲୋଚନା ହେଉଛି । ବିଶାଲପାଲି ଗ୍ରାମର ଜନୈକା ମହିଳା ଏହି ମାରାତ୍ମକ ରୋଗରେ ପୀଡିତ ହୋଇ ବର୍ତ୍ତମାନ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ରୋଗକୁ ନେଇ ଗ୍ରାମରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ତେବେ ଚାଷୀଙ୍କ ଫସଲ କ୍ଷତିକୁ ନେଇ ବଲାଙ୍ଗିର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ ସହିତ ପରାମର୍ଶ ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କୃଷି ଅଧିକାରୀ ସୁଶ୍ରୀ ଛତ୍ରୀଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.