କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଭିଯୋଗ : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର ଭାବ ପୋଷଣ କରାଯାଉଥିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଏକ ପ୍ରେସ ହିସ୍ତାହାରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସଂପାଦକ ସୁନୀଲ କୁମାର ପୁରୋହିତ କହିଛନ୍ତି ଯେ, ସାରା ବିଶ୍ୱରେ ଦେଖା ଦେଇଥିବା କରୋନା ମହାମାରୀ ପାଇଁ ସମସ୍ତେ ଆତଙ୍କିତ । ଏହି ବୈଶ୍ୱିକ ବ୍ୟାଧିର ନିରାକରଣ ପାଇଁ ସମଗ୍ର ମାନବ ସମାଜ ସମ୍ମିଳିତ ଭାବେ ଉଦ୍ୟମ କରୁଥିବା ବେଳେ ଏହା ପରିଚାଳନା କ୍ଷେତ୍ରରେ ରାଜ୍ୟ ପ୍ରଶାସନ ତରଫରୁ କୋଶଳାଂଚଳ ପ୍ରତି ପ୍ରଦର୍ଶନ କରାଯାଉଥିବା ଆଂଚଳିକ ବୈଷମ୍ୟ ନିହାତି ନିନ୍ଦନୀୟ ଅଟେ । କରୋନା ସଂକ୍ରମଣ ଯେତେବେଳେ ଓଡ଼ିଶାରେ ଆରମ୍ଭ ହେଲା କୋଶଳାଂଚଳରେ ତାହାର କୌଣସି ଲକ୍ଷଣ ଦେଖା ଦେଇ ନଥିଲା । କିନ୍ତୁ ଓଡ଼ିଶା ସରକାରଙ୍କ ଭୁଲ କରୋନା ପରିଚାଳନା ନୀତି ଓ ନିଷ୍ପତ୍ତି ଯୋଗୁଁ ଏ ଅଂଚଳରେ ମଧ୍ୟ ଏହି ବ୍ୟାଧି ସଂକ୍ରମଣର ରୂପ ନେଇ ଆଜି ଭୟାବହ ଅବସ୍ଥାରେ ପହଂଚିଛି । ସୁନ୍ଦରଗଡ଼ ଓ କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ଘଟଣା ଘଟିବା ପରେ ଏହି ବ୍ୟାଧିର ଭୟାବହତା ସମଗ୍ର କୋଶଳବାସୀ ଅନୁଭବ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏ ଅଂଚଳରେ କରୋନାର ମୁକାବିଲା ପାଇଁ ଯେଉଁସବୁ ଆନୁସଂଗିକ ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା ହେବା କଥା ତାହା ହେଉନାହିଁ । କରୋନାର ମୁକାବିଲା ପାଇଁ କୋଭିଡ଼-୧୯ ଡାକ୍ତରଖାନାମାନ ବହୁ ଆଡ଼ମ୍ବରରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଡାକ୍ତରଖାନାରେ ଆନୁସଂଗିକ ବ୍ୟବସ୍ଥା ନ ଥିବାରୁ ତଥା ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ଡାକ୍ତର ନଥିବାରୁ ରୋଗୀମାନେ ଅସନ୍ତୁଷ୍ଟ ହୋଇ ପଳେଇ ଆସୁଛନ୍ତି । ଇତି ମଧ୍ୟରେ କରୋନା ସଂକ୍ରମିତ ଜନୈକ ସରକାରୀ କର୍ମଚାରୀ ବଲାଙ୍ଗିର କୋଭିଡ଼-୧୯ ଡାକ୍ତରଖାନାରେ ଚାଲିଥିବା ମହା ଠକେଇ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଜଣେଇବା ପରେ ତାହା ଚହଳ ସୃଷ୍ଟି କରିଛି । ଏହା ପୂର୍ବରୁ ମଧ୍ୟ କରୋନା ଆଂକ୍ରାନ୍ତ କିଛି ରୋଗୀ ଉକ୍ତ ଡାକ୍ତରଖାନାରୁ ଅସନ୍ତୁଷ୍ଟ ହୋଇ ଚାଲି ଆସିଥିବା ସମ୍ବାଦ ଦୃଷ୍ଟିଗୋଚର ହୋଇଛି । ଗୋଟିଏ ପକ୍ଷରେ କୋଶଳାଂଚଳର କେବିକେ. ଅଂଚଳରୁ ୧୦୦ ଜଣ ଡାକ୍ତରଙ୍କୁ ଜବର୍ଦସ୍ତ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ କୋଭିଡ଼୍ ହସ୍ପିଟାଲ ମାନଙ୍କରେ ଡାକ୍ତର, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଓ ବ୍ୟବସ୍ଥା ନ ଥିବା ଯୋଗୁଁ ଏ ଅଂଚଳରେ ଭୟାବହ ଅବସ୍ଥା ସୃଷ୍ଟି ହୋଇଛି । ଠିକ୍ ସେହିଭଳି କରୋନା ସଂପର୍କରେ ସଠିକ୍ ଖବର ଜାଣିବା ପାଇଁ କୋଶଳାଂଚଳରେ ସବୁ କରୋନା ଆକ୍ରାନ୍ତଙ୍କୁ ଖୋଜା ଯାଇ ପାରୁନାହିଁ । ଫଳତଃ ଲୋକାଲ୍ କଣ୍ଟ୍ରାକ୍ଟ ସଂଖ୍ୟା ବହୁଳ ମାତ୍ରାରେ ବଢ଼ିବା ଏବଂ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣର ମଧ୍ୟ ସମ୍ଭାବନା ରହିଛି ।


ପ୍ରେସ୍ ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ଭଳି ବୈଶ୍ୱିକ ମହାମାରୀ ସମୟରେ ଏହାର ସଠିକ୍ ମୁକାବିଲା କରା ନ ଯାଇ ପ୍ରଶାସନ ତରଫରୁ କରୋନାକୁ ଏକ ବ୍ୟବସାୟ ରୂପେ ପରିଣତ କରାଯାଇ ଥିବାର ସନେ୍ଦହ ଜନସାଧାରଣଙ୍କ ମନରେ କ୍ରମଶଃ ଘନୀଭୂତ ହେଉଛି । କୋଶଳାଂଚଳ ପ୍ରତି ଏଭଳି ଭୟାବହ ବିପଦ ସମୟରେ ମଧ୍ୟ ଓଡ଼ିଶା ରାଜ୍ୟ ସରକାର ପ୍ରଦର୍ଶନ କରିଥିବା ଆଂଚଳିକ ବୈଷମ୍ୟକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ତୀବ୍ର ନିନ୍ଦା କରିବା ସହ ଏ ସଂପର୍କରେ ସିବିଆଇ. ତଦନ୍ତ କରାଯିବାକୁ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ସୁପି୍ରମକୋର୍ଟ ମୁଖ୍ୟ ବିଚାରପତି ଓ ମାନ୍ୟବର ଜାତୀୟ ମାନବାଧିକାର କମିଶନକୁ ଅପିଲ୍ କରାଯାଉଛି ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ମିଶ୍ର ଓ ସାଧାରଣ ସଂପାଦକ ଶ୍ରୀ ପୁରୋହିତ ଜଣାଇଛନ୍ତି ।

Leave A Reply

Your email address will not be published.