pakka

କୋସଲ ରାଜ୍ୟ ସମନ୍ୱୟ ସମିତିର ଆହ୍ୱାନ – ଉତ୍କଳ ଦିବସକୁ ବର୍ଜନ କରନ୍ତୁ, ଏପ୍ରିଲ ୧ରେ କଳା ଦିବସ ପାଳନ କରନ୍ତୁ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଦିବସକୁ ବର୍ଜନ କରନ୍ତୁ, ଏପ୍ରିଲ ୧ରେ କଳା ଦିବସ ପାଳନ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନ କରିଛି । ସମିତି ପକ୍ଷରୁ କୁହାଯାଇଛି ଯେ, ସମଗ୍ର ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି । କୋସଲାଞ୍ଚଳର ୨କୋଟି ଲୋକଙ୍କୁ ଅପମାନିତ କରିବାକୁ ଏହି ଦିନ ସର୍ବତ୍ର ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସବୁ ଅନୁଷ୍ଠାନ ଓ ପ୍ରତିଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ୬ଟି ଜିଲ୍ଲାକୁ ନେଇ ଓଡିଶା ରାଜ୍ୟ ଗଠିତ ହୋଇଥିଲା । ସେତେବେଳେ ଏ ଅଂଚଳର କେବଳ ସମ୍ବଲପୁର ଜିଲ୍ଲାକୁ ଏ ଅଂଚଳର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଓଡିଶା ସହ ମିଶାଇ ଦିଆଯାଇଥିଲା । ତାର ୧୨ ବର୍ଷ ପରେ ଅର୍ଥାତ ୧୯୪୮ ମସିହାରେ ଗଡଜାତ ମିଶ୍ରଣ ଆଳରେ ବାକି ଗଡଜାତମାନଙ୍କୁ ଓଡିଶା ସହ ମିଶାଇ ବୃହତ୍ତର ଓଡିଶା ଗଠନ କରାଗଲା । ଏହା ପୂର୍ବରୁ ଦକ୍ଷିଣ କୋଶଳର ସ୍ୱତନ୍ତ୍ର ଅବସ୍ଥିତ ଥିଲା କିନ୍ତୁ ଏହି ବିଶାଳ ଭୂଖଣ୍ଡକୁ ଅନ୍ୟାନ୍ୟ ଭାବେ ଓଡିଶା ସହ ସମ୍ମିଳିତ କରାଯାଇ ଏ ଅଂଚଳକୁ ଦାରିଦ୍ର୍ୟ, ଅନାହାର, ବେକାରୀ, ଚାଷୀ ଆତ୍ମହତ୍ୟା, ଦାଦନ ଶ୍ରମିକ ସମସ୍ୟା ଭଳି ଉଗ୍ର ମାନବିକ ସମସ୍ୟାରେ ଜର୍ଜରିତ କରାଯାଇଛି । ଆମ ଅଂଚଳକୁ ଉଗ୍ର ଆଂଚଳିକ ବୈଷମ୍ୟର ଶିକାର କରାଯାଇଛି । ଆମ ଭାଷା, ସଂସ୍କୃତି, ଇତିହାସ ଉପରେ ମରଣ ମାଡ ଦିଆଯାଇ ଆମକୁ ବିକଳାଂଗ କରିବାର ଅପଚେଷ୍ଟା କରାଯାଇଛି । ଉତ୍କଳ, କଳିଙ୍ଗ ଓ କୋସଲକୁ ନେଇ ଓଡିଶା ରାଜ୍ୟ ଗଠିତ ହୋଇଥିଲେ ମଧ୍ୟ ଉତ୍କଳ ସମ୍ମିଳନୀ ପାଇଁ ଲିଖିତ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦିଆଯାଇ ତାକୁ ଗାଇବା ପାଇଁ ଅସାମ୍ବିଧାନିକ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏପ୍ରିଲ ୧ ଦିନଟି ଆମ ପାଇଁ ଏକ କଳା ଦିବସ ଅଟେ । ତେଣୁ ମାତୃଭୂମି କୋସଲ ପ୍ରତି ସମର୍ପିତ ପ୍ରତି କୋସଲବାସୀ ଏହି ଏପ୍ରିଲ-୧ର ଉତ୍କଳ ଦିବସକୁ ବର୍ଜନ କରିବା ସହ ଏହି ଦିନକୁ କଳା ଦିବସ (କଳାଦିନ) ହିସାବରେ ପାଳନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି । ଏହି ଦିନ କଳା ପତାକା ଉତ୍ତୋଳନ, କଳା ବେଜ ପରିଧାନ ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା, ଗଣ ଧାରଣା ଇତ୍ୟାଦି ପ୍ରତିକାରାତ୍ମକ ବିରୋଧ କରିବା ସହ ଉତ୍କଳ ଦିବସ ପାଳକୁ ବର୍ଜନ ଓ ବନ୍ଦେ ଉତ୍କଳ ଜନନୀକୁ ପ୍ରତ୍ୟାଖ୍ୟାନ କରିବାକୁ ତଥା ସମସ୍ତେ ସମ୍ମିଳିତ ଭାବରେ କଳା ଦିବସ ପାଳନ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 × 3 =