ପୋଲିସ ଭରିବ ୫ ଲକ୍ଷ କ୍ଷତି ପୂରଣ

ପଦ୍ମପୁର,(ନିରୋଜ କୁମାର ପାଣୀ) :
ବିନା ତଦନ୍ତରେ ମୃତ୍ୟୁ ଘୋଷଣା କରି ଜଣଙ୍କୁ ଅଭିଯୁକ୍ତ ଭାବରେ ଜେଲ ପଠାଇ ଥିଲା ପୋଲିସ । ମୃତ ଯୁବକ ଫେରିବା ପରେ ପଦାରେ ପଡିଥିଲା ପୋଲିସର ତଦନ୍ତ ସତ୍ୟତା । ବର୍ତ୍ତମାନ ଅଭିଯୁକ୍ତ ଭାବରେ ଜେଲ ଯାଇଥିବା ଦୁଇ ଜଣଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ପୋଲିସକୁ ହୋଇଛି ନିର୍ଦ୍ଦେଶ ।

ଗତ ୨୦୧୬ ମସିହାରେ ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମାଝିପାଲି ଗ୍ରାମର ମନରଞ୍ଜନ ଡନସନା ତାଙ୍କ ପୁଅ ଜିତ ଡନସନା ନିଖୋଜ ଥିବାର ଅଭିଯୋଗ କରି ତା୦୭.୧୨.୨୦୧୬ରେ ଥାନାରେ ଏକ ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ପାଇକମାଲ ପୋଲିସ ଥାନା କେଶ ନଂ. ୧୮୭ ତା.୨୫.୧୨.୨୦୧୬ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗ ଅନୁଯାୟୀ ଜିତ ଡନସନା ଦେହ ଅସୁସ୍ଥତା ଯୋଗୂଁ ବରଗଡ ଚିକିତ୍ସାଳୟକୁ ଯାଇଥିଲେ ଏବଂ ତାପରେ ଆଉ ଘରକୁ ଫେରି ନଥିଲେ । ପରେ ପଇକମାଲ ପୋଲିସ ବରଗଡ ବିଶିପଡାର ଦୁଇ ଜଣଙ୍କୁ ଏହି ସଙ୍କ୍ରାନ୍ତରେ ଗିରଫ କରିବା ସହ ଜିତ ଡନସନାଙ୍କ ମୃତ୍ୟୁ ମାମଲାରେ ଜେଲ ଫଠାଇଥିଲେ । ହେଲେ ୧୯ ମାସ ପରେ ଜୁଲାଇ ୨୦୧୮ରେ କଲିକତାରୁ ଜିତ ଡନସନାଙ୍କ ଜୀବିତ ଥିବା ଖବର ପାଇ ଘର ଲୋକେ ଜିତଙ୍କୁ ଘରକୁ ଆଣିଥିବା ବେଳେ ପୋଲିସ ତଦନ୍ତର ସତ୍ୟାସତ୍ୟ ପଦାକୁ ଆସିଥିଲା । ଜିତ ଡନସନା (ନିଖୋଜ ଯୁବକ)କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ଏହି ଖାମଖିଆଲି ମନୋଭାବ ଏବଂ ତଦନ୍ତ ଉପରେ ପ୍ରଶ୍ନ ଉଠା ଯିବା ସହ ହ୍ୟୁମେନ ରାଇଟ୍ସ କମିଶନ ତରଫରୁ ମଧ୍ୟ ଯାଂଚ ପାଇଁ ଆବେଦନ କରଯାଇଥିଲା । ପରେ ଅଭୁଯୁକ୍ତ ଭାବରେ ଜେଲ ପଠା ଯାଇଥିବା ଦୁଇ ଅଭିଯୁକ୍ତ ହଲୁ ଗୁର୍ଲା ଏବଂ ରାଘବ ନାଏକଙ୍କୁ ଜେଲରୁ ମୁକ୍ତ କରା ଯାଇଥିବା ବେଳେ ବର୍ତମାନ ଉଭୟଙ୍କୁ କ୍ଷତିପୁରଣ ହିସାବରେ ୫ ଲକ୍ଷ ଟଙ୍କା ଦେବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ହୋଇଛି । ଏ ନେଇ ଉଭୟେ ନିଜର ଖୁସି ପ୍ରକାଶ କରିଥିବା ବେଳେ ତାଙ୍କୁ ଯଥୋଚିତ ନ୍ୟାୟ ମିଳିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.