ଦେଓଗାଁ ବ୍ଲକରେ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ : କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (ମନୀଷ କୁମାର ସାହୁ) : ଓଡିଶା ରାଜ୍ୟ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଂଚଳରେ ଏକ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଛି । ଦେଓଗାଁ ବ୍ଲକ କେବିକେ ଅଂଚଳରେ ଅନ୍ତର୍ଭୁକ୍ତ । ଯାହାକି ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଦେଶର ଏକ ପଛୁଆ ଅଂଚଳ ଭାବେ ପରିଗଣିତ । ତେଣୁ ଦେଓଗାଁ ବ୍ଲକରେ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଏକ ପତ୍ର ମାଧ୍ୟମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ୨୫ ହଜାରରୁ ଉର୍ଦ୍ଧ୍ବ ପ୍ରଜାତିର ଆଦିବାସୀ ଏହି ବ୍ଲକର ୨୬ ଟି ପଂଚାୟତରେ ବସବାସ କରୁଛନ୍ତି । ଗଣ୍ଡ, ବିଂଝାଲ, କୁଲିସ, କନ୍ଧ ଓ ଶବର ଭଳି ପ୍ରଜାତିର ଆଦିବାସୀମାନେ ବସବାସ କରୁଛନ୍ତି । ଏହି ବ୍ଲକର ଦେଷଣ୍ଡ, ରାମଚନ୍ଦ୍ରପୁର, ଡୁମେରପିଟା ଓ ସିଂହାମୁଣ୍ଡା ଗ୍ରାମ ପଂଚାୟତ ମାଡା ଯୋଜନାରେ ଅନ୍ତର୍ଭୁକ୍ତ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଏହି ବ୍ଲକରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି । ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ତଥା ଆବାସିକ ଶିକ୍ଷା ବ୍ୟବସ୍ଥା ଯୋଗାଇ ନଦେଲେ ଏହି ଅଂଚଳର ଆଦିବାସୀ ଛାତ୍ରଛାତ୍ରୀମାନେ ଅଣ ଆଦିବାସୀମାନଙ୍କ ସହିତ ଶିକ୍ଷା କ୍ଷେତ୍ରରେ ସମକକ୍ଷ ହୋଇ ପାରିବେ ନାହିଁ । ଏହି ବ୍ଲକରେ ଆଦିବାସୀମାନଙ୍କ ସାକ୍ଷାରତା ହାର ଜାତୀୟ ହାର ଠାରୁ ବହୁତ କମ । ୨୦୧୧ ଜନଗଣନା ଅନୁଯାୟୀ ଏହି ବ୍ଲକରେ ସର୍ବମୋଟ ଜନସଂଖ୍ୟା ୯୭ ହଜାର ୪୫୦ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଦିବାସୀଙ୍କ ସଂଖ୍ୟା ୧୯୫୫୭ ଓ ଅନସୂଚିତ ଜାତିଙ୍କ ସଂଖ୍ୟା ୧୮ ହଜାର ୬୮୦ ରହିଥିଲା । ବ୍ଲକର ରାମଚନ୍ଦ୍ରପୁର ଠାରେ କେବଳ ବାଳିକାମାନଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ରହିଛି । ତେବେ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ବ୍ଲକରେ ଏଭଳି କୌଣସି ପ୍ରକାର ଆବାସିକ ବିଦ୍ୟାଳୟ ନାହିଁ । ତେଣୁ ଏହି ବ୍ଲକରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏକଲବ୍ୟ ମୋଡେଲ ଆଦିବାସୀ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ଶ୍ରୀମତୀ ମେହେର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବ୍ଲକରେ ବିଦ୍ୟାଳୟ ପ୍ରତିଷ୍ଠା ହେଲେ ଗୁଡଭେଲା, ସଇଁନ୍ତଲା ଓ ବଲାଙ୍ଗୀର ବ୍ଲକରେ ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେବେ ବୋଲି ଶ୍ରୀମତୀ ମେହେର ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହା ସହିତ ଏ ସମ୍ପର୍କରେ ଶ୍ରୀମତୀ ମେହେର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.