ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆର୍‌ସି)ଠାରେ ଦେଓଗାଁ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ଜିଲ୍ଲା ବିକାଶ ପ୍ରବନ୍ଧକ ଡ. ବିବେକ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରି ଡିଜିଟାଲ କାରବାର ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରିଥିଲେ । ସେ କହିଥିଲେ ଯେ, ବ୍ୟାଙ୍କ ଖାତା ଖୋଲିବା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟବଶତଃ ବ୍ୟାଙ୍କ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । କିନ୍ତୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ପାଇଁ ତିରିଶ ହଜାର କୋଟି ଜମାଟଙ୍କାର ବର୍ତ୍ତମାନ ଯାଏଁ କୌଣସି ଦାବୀଦାର ନାହାନ୍ତି ।

ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ ଗୁଡ଼ିକରର ସେବା ତଥା ଆର୍ଥିକ ସାକ୍ଷରତା ବିଷୟରେ ବ୍ୟାଙ୍କର ଗ୍ରାହକମାନଙ୍କୁ ନେଇ ସଚେତନ ଅଭିଯାନ ଆରମ୍ଭ ହୋଇଛି । ତାଲିମଦାତା ଭାବରେ ହୃଷୀକେଶ ସାହୁ ଏବଂ ଶ୍ରୀମତୀ ମମତା ପାଣିଗ୍ରାହୀ ସମସ୍ତଙ୍କୁ ବିଭିନ୍ନ ସରକାରୀ ବୀମା ଯୋଜନା, ଜମା ଯୋଜନା, ପେନସନ୍‌ ଯୋଜନା ଆଦି ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକରୁ ୭୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସବିତା ସାହୁ, ସରିତା ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

14 + 17 =