
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଜୈବିକ କୃଷି ମାଧ୍ୟମରେ କେବଳ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରାଯାଇପାରିବ । ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ମୃତ୍ତିକାର ଉର୍ବରତା ହ୍ରାସ କରିବା ସହ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଥିବାରୁ କୃଷକମାନେ ଜୈବିକ ଚାଷ ଆଡ଼କୁ ଅଗ୍ରସର ହେବା ସମୟର ଆବଶ୍ୟକତା ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ମତପ୍ରକାଶ କରିଥିଲେ । କର୍ମଶାଳାରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ । କର୍ମଶାଳାରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ, କୃଷି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବାସନ୍ତୀଲତା ଶିଆଳ, କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର, ହେମନ୍ତ ଦାସ, ଶରତ କୁମାର ଦାସ, ଜୁନମୟୀ ମହାନ୍ତି, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ ପୁରୁଷୋତ୍ତମପୁର ବ୍ଲକରୁ ଶତାଧିକ କୃଷକ ଏହି କର୍ମଶାଳାରେ ଯୋଗଦେଇ ଜୈବିକ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ । କୃଷି ବୈଜ୍ଞାନିକ ଓ କୃଷି ଅଧିକାରୀମାନେ କୃଷକମାନଙ୍କ ସହ ସିଧାସଳଖ ଆଲୋଚନା କରି ବର୍ତ୍ତମାନ ସମୟରେ କିପରି ଜୈବିକ ଚାଷକୁ ଆପଣାଇ ରାସାୟନିକ ଚାଷରୁ ଦୂରେଇ ରହିପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କୃଷି ଜିଲ୍ଲା ଅଧିକାରୀ ହେମନ୍ତ ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
