csstore

ଝୁମର କର୍ମଶାଳାରେ ଯୋଗ ଦେବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥିତ ଅମ୍ବିକା ହଲ ଠାରେ ଓଡିଶା ଝୁମର ଏକାଡେମୀର ସଭାପତି ଅବନୀ ମହାନ୍ତଙ୍କ ସଭାପତିତ୍ୱରେ ଝୁମର କର୍ମଶାଳାର ସୂଚନା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡା. କିଶୋର କୁମାର ବସା, ଝୁମର କର୍ମଶାଳା ରିସେପସନ କମିଟି ଚେୟାରମ୍ୟାନ ତଥା ବାରିପଦା ବିଧାୟକ ପ୍ରକାଶ ସୋରେନ, ସେକ୍ରେଟାରୀ ବସନ୍ତ ମହାନ୍ତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଝୁମର ଏକାଡେମୀର ଉପସଭାପତି ରାକେଶ ସିଂ ସମ୍ମିଳନୀ ଆରମ୍ଭରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ଝୁମର ଏକାଡେମୀ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦିନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଝୁମର କର୍ମଶାଳା ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ଚେୟାରମ୍ୟାନ ମନୁମେଣ୍ଟ ଅଥରିଟି ଅଫ ଇଣ୍ଡିଆ ପ୍ରଫେସର ଡା. କିଶୋର କୁମାର ବସା ଯୋଗ ଦେବେ । ଉକ୍ତ କର୍ମଶାଳାରେ ୧୫ଟି ଝୁମର ନୃତ୍ୟ ଦଳ ଭାଗ ନେବା ସହିତ ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମରୁ ଅତିଥି ଓ ବୁଦ୍ଧିଜୀବୀ ଯୋଗଦେବେ । ଝୁମର ହେଉଛି ଓଡିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ, ଆସାମ ପ୍ରଦେଶରେ ବସବାସ କରୁଥିବା ଜନଗୋଷ୍ଠୀ ମାନଙ୍କ ଦ୍ୱାରା ପର୍ବପର୍ବାଣି ସାମାଜିକ ସାଂସ୍କୃତିକ ଭାବେ ଝୁମୁର ଗୀତ ବାଦ୍ୟ ଓ ନୃତ୍ୟର ଏକ ସତନ୍ତ୍ର ସ୍ଥାନ ଅଛି । ବିଭିନ୍ନ ଜନଗୋଷ୍ଠୀଙ୍କ ଭାଷାର ଅନ୍ତର ହେଲେ ମଧ୍ୟ ମୌଳିକତା ପ୍ରାୟ ସମାନ । ଏହି ସଂସ୍କୃତିର ସୃଷ୍ଟି କେବେ କେଉଁଠାରେ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଗଭୀର ଗବେଷଣା ହେଲେ ଜଣାପଡିବ । ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହା କୃଷି ସଭ୍ୟତା ସହିତ ଜଡିତ । ଝୁମରରୁ ବହୁ ପ୍ରକାର ନୃତ୍ୟ ଜନ୍ମିତ ତନ୍ମଧ୍ୟରୁ ଛଉ ନୃତ୍ୟ ଅନ୍ୟତମ । ସ୍ୱାଧୀନତା ପୂର୍ବରୁ ରାଜା ରାଜୁଡା ଜମିଦାର ମାନଙ୍କ ପୃଷ୍ଠପୋଶୋକତା ପାଇଁ ସ୍ୱାଧୀନତା ପରେ ସରକାରୀ ପୃଷ୍ଠପୋଷକତାରେ ଆଜି ଦେଶବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି କିନ୍ତୁ ଝୁମର ପୃଷ୍ଟପୋଷକତାର ଅଭାବରେ ଆମ ଗାଁ ଦାଣ୍ଡ, ଅଶିକ୍ଷିତ, କୃଷକ, କୃଷି ଶ୍ରମିକ ମାନଙ୍କ ପରମ୍ପରାରେ ବଞ୍ଚି ରହିଛି । ସରକାରୀ ପୃଷ୍ଠପୋଷକ ପାଇଁ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଗବେଷଣା କଲେ ଝୁମରରେ ଲୁକ୍କାୟିତ ଥିବା ସାହିତ୍ୟ ଇତିହାସ ରାମାୟଣ, ମହାଭାରତ ମନ୍ତ୍ର ତନ୍ତ୍ର ଇତ୍ୟାଦି ବିଦ୍ୟମାନଏବଂ ଭାରତର ପ୍ରାଚୀନ ସଂସ୍କୃତିର ଆଧାର । ଝୁମର ଭାରତ ବର୍ଷର ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ ଏବଂ ଦେଶ ବାହାରେ ବଙ୍ଗଳାଦେଶ, ନେପାଳରେ ମଧ୍ୟ ପରିଚିତ । ଝୁମର କଳା ସଂସ୍କୃତିର ବିକାଶ ଏବଂ ଝୁମର କଳାକାରମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।

jayashree
Leave A Reply

Your email address will not be published.