
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ଅନ୍ତର୍ଗତ ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ହୋଇଯାଇଛି । ଏହି ବିଶାଳ ସମାବେଶରେ ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶୀମତୀ ତନୟା ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷ ସୁବ୍ରତ ମାଝୀ, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଭାସୀ ମାଧ୍ୟମରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ସୁଭଦ୍ରା ଯୋଜନା ହଉଛି ଏକ ଅଭିନବ ଯୋଜନା । ଏହି ଯୋଜନା ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ଓ ଶସକ୍ତ ହୋଇପାରୁଛନ୍ତି ଏବଂ ଏହା ଦ୍ଵାରା ପରିବାରର ଆର୍ଥିକ ଉନ୍ନତି ମଧ୍ୟ ଘଟୁଛି । ମହିଳାମାନେ ବିକଶିତ ହେଲେ ପରିବାର ବିକଶିତ ହେବ ଏବଂ ପରିବାର ବିକଶିତ ହେଲେ ସମଗ୍ର ଦେଶ ମଧ୍ୟ ବିକଶିତ ହେବ । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଏହି ଯୁଗାନ୍ତକାରୀ ଯୋଜନାରେ ସାମିଲ ହୋଇ ଏହାର ଲାଭ ନେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଯୋଜନାରେ ସାମିଲ ହୋଇ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଏହି ଅବସରରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବର ସିଧାପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧୀକାରୀ ଆକାଉଣ୍ଟକୁ ଦ୍ୱିତୀୟ କିସ୍ତି ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କିଷ୍ଣା କୁମାରୀ ନନ୍ଦ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ସିଡିପିଓ, ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ ସଂଖ୍ୟାରେ ସୁଭଦ୍ରା ହିତାଧିକାରୀମାନେ ଯୋଗଦାନ କରିଥିଲେ । ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବସନ୍ତ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ।