ମେଣ୍ଡାରେ ୩ୟ ବାରପାହାଡ ମହୋତ୍ସବ

  • “ପୁରାତନ ମେଣ୍ଡାଗଡତି ଅଞ୍ଚଳକୁ ବ୍ଲକଘୋଷଣା କରାଯାଉ”

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଐତିହାସିକ ମେଣ୍ଡା ଗାଁର ସାଗରତଳଛକ ଠାରେ ୩ୟ ବାରପାହାଡ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୩ତାରିଖରୁ ଏହା ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏଠାରେ ପ୍ରତ୍ୟହ କଂସ ଦରବାର ଚାଲିଥିବା ବେଳେ ବିଭିନ୍ନ ଅତିଥି ବର୍ଗ ଯୋଗ ଦେଉଛନ୍ତି । ଆଜି ୪ର୍ଥ ସଂଧ୍ୟାରେ ଆୟୋଜିତ କଂସ ଦରବାରରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ତଥା ବର୍ତ୍ତମାନର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ମେଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଲିଜାରାଣୀ ଦଣ୍ଡସେନା, ପାଇକବାହାଲ ସରପଞ୍ଚ ଦାୟୀତ୍ୱରେ ଥିବା ପିଙ୍କି ଶିକା , ପାଇକବାହାଲ ସମିତି ସଭ୍ୟ ରାଜକିଶୋର ଭୁଏ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସାମ୍ବାଦିକ ରାମଚନ୍ଦ୍ର ପୂଜାହାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଲକ୍ଷ୍ମଣ ମେହେର ସୋନପୁର ମାଟିକୁ ଏକ ତ୍ୟାଗ ଓ ବଳିଦାନର ମାଟି ବୋଲି କହିବା ସହିତ ଏହି ମାଟିରୁ ସନ୍ଥକବି ଭୀମଭୋଇ ସମଗ୍ର ବିଶ୍ୱକୁ ଏକ ଯୁଗାନ୍ତକାରୀ ବାର୍ତ୍ତା ଦେଇଥିଲେ ବୋଲି କହିଥିଲେ । ଏହା ସହିତ ସ୍ୱାଧିନତା ସଂଗ୍ରାମୀ ରାମ ଶତପଥି, ଲକ୍ଷ୍ମଣ ଶତପଥି, ବିନିକାର ସହିଦ ଗୁରୁବାରୀ ମେହେରଙ୍କ ସହ ମେଣ୍ଡା ଅଞ୍ଚଳର ବିକାଶର ଅଗ୍ରଦୂତ ସ୍ୱର୍ଗତ ଡଃ. ଭୈରବ ଚରଣ ଦାସ ଓ ଡଃ. ସଦାନନ୍ଦ ଅଗ୍ରୱାଲଙ୍କୁ ସ୍ୱରଣ କରିଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗୋଟିଏ ସମୟରେ ସୋନପୁର ଗଡଜାତରେ ମେରଣ୍ଡାଗଡ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା । ମେଣ୍ଡା ଗଡଜାତ ଅଞ୍ଚଳର ସ୍ୱାତନ୍ତ୍ରତା ଆଜି ମଧ୍ୟ ରହିଛି । ଏବେ ରାଜ୍ୟ ସରକାର ବ୍ଲକ ପୁନର୍ଗଠନ ପାଇଁ ଘୋଷଣା କରିଛନ୍ତି । ସେହିକ୍ରମରେ ପୁରାତନ ମେଣ୍ଡା ଗଡତି ଅଞ୍ଚଳକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯାଉ ବୋଲି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଆହ୍ୱାନ ଜଣାଇଥିଲେ । ଏଥିପାଇଁ ଏହି ଅଞ୍ଚଳର ଜନସାଧାରଣ ସ୍ଥାନୀୟ ବିଧାୟକ, ଅନ୍ୟାନ୍ୟ ଲୋକ ପ୍ରତିନିଧିମାନଙ୍କ ଜରିଆରେ ଦୃଢଦାବି ରଖିବାକୁ କହିଥିଲେ । ମହୋତ୍ସବ ଅଞ୍ଚଳର ବିକାଶର ମାଧ୍ୟମ ହେଉ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଫଟକରାର କଳାକାର ଅନୀଳ ନାଏକ ଓ ସାଥିଙ୍କ ଦ୍ୱାରା ପ୍ରତ୍ୟହ କଂସ ଦରବାର ଆୟୋଜିତ ହେଉଛି । ଛୋଟ ଛୋଟ ଶିଶୁ କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରୁଛନ୍ତି । ମହୋତ୍ସବ ଆୟୋଜନରେ ରାଜେନ୍ଦ୍ର ପଣ୍ଡା, ଭାଗିରଥି ସାହୁ, ରାମଶଙ୍କର ମହାପାତ୍ର, ହୃଷିକେଶ ପଣ୍ଡା, ହୃଷିକେଶ ପାତ୍ର, ଡୁବୁଲ ଦଣ୍ଡସେନା, ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ, ଗଣନାଥ ସାହୁ, ମଦନ ମୋହନ ପଣ୍ଡା, ଚକ୍ରଧର ସା ପ୍ରମୁଖଙ୍କ ସହ ଶତାଧିକ ଯୁବକ ସହଯୋଗ କରୁଛନ୍ତି । ମୁଖ୍ୟତଃ ମେଣ୍ଡା, ଦେଉଳପଦର, ପାଇକବାହାଲ, ରାଣୀସର୍ଡା, ପୁଆ ଗ୍ରାମପଞ୍ଚାୟତର ଅଧିବାସୀ ମିଳିତ ଭାବରେ ଏହି ମହୋତ୍ସବକୁ ଆୟୋଜନ କରୁଛନ୍ତି ।

Leave A Reply

Your email address will not be published.