ରାଇସଲପଦର ଗାଁରେ କଙ୍ଗାରୁ କୋର୍ଟ : ଚୋରି ଅଭିଯୋଗରେ ଚାରି ଜଣ ଯୁବକଙ୍କୁ ଅକଥନୀୟ ନିର୍ଯାତନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଞ୍ଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଦୃଶ୍ୟ । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧିବା ସହ ସେମାନଙ୍କ ହାତକୁ ବାନ୍ଧି ଗାଁ ଦାଣ୍ଡରେ ବୁଲା ଯାଉଥିବାର ଭିଡିଓ ସାମ୍‌ନାକୁ ଆସିଛି । ଗାଇସିଲାଟ ଥାନା ରାଇସଲପଦର ଗାଁରେ ଚାଷ ଜମିର ମଟର ପମ୍‌ମ୍ପ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ କରି ଗ୍ରାମବାସୀମାନେ ଚାରି ଜଣ ଯୁବକଙ୍କୁ ଦଣ୍ଡିତ କରିବା ଭିଡିଓ ସାମନାକୁ ଆସିଛି ।

ସେହି ଚାରି ଜଣ ଯୁବକଙ୍କୁ ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି ଅପମାନିତ କରାଯାଇଛି ଏବଂ ପରେ ଆହୁରି ଅପମାନିତ କରିବା ପାଇଁ ତଥା ଦଣ୍ଡିତ କଲା ପରି ସେହି ଚାରି ଜଣ ଯୁବକଙ୍କ ହାତକୁ ଦଉଡିରେ ବାନ୍ଧି ଗାଁ ସାରା ବୁଲାଇଛନ୍ତି । ବର୍ତ୍ତମାନ ସମୟରେ ଲୋକ ମାନେ ଆଇନକୁ ହାତକୁ ନେବା ସହ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିବା ପୋଲିସ ପ୍ରଶାସନ ଉପରେ ଭରସା ନଥିବା ଭଳି ମନେ ହେଉଛି । ଏଭଳି ଭାବରେ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲା ପରେ ଗ୍ରାମବାସୀମାନେ ଗାଇସିଲାଟ ପୋଲିସକୁ ଖବର କରି ଚୋର ମାନଙ୍କୁ ପୋଲିସ ହାତରେ ଦେଇଛନ୍ତି । ଏହି କଙ୍ଗାରୁ କୋର୍ଟରେ ଦଣ୍ଡିତ କଲା ଭିଡିଓ ଏବେ ଗାଇସିଲାଟ ଓ ପଦ୍ମପୁର ଅଂଚଳରେ ଘୁରି ବୁଲୁଛି । ଗାଇସିଲାଟ ପୋଲିସ କହିବା ମୁତାବକ ସେହି ଚାରିଜଣ ବ୍ୟକ୍ତିଙ୍କ ପାଖରୁ କିଛି ଚୋରୀ ସାମଗ୍ରୀ ଜବତ କରାଯାଇଛି । ହେଲେ ଏପରି ଗାଁ ଦାଣ୍ଡରେ ଲୋକଙ୍କୁ ଦଣ୍ଡିତ କରିବା ଭଳି ପ୍ରଥା କେବେ ବନ୍ଦ ହେବ ତାହା ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.

two × five =