jayashree

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ : ମାଛ ଧରିଯିବା ହେଲା କାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ମହାନଦୀରେ ମାଛ ଧରିବାକୁ ଯାଇ ଜଣେ ରାଜମିସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଛି । ମୃତକଙ୍କ ନାମ ରମାକାନ୍ତ ନାଏକ (୪୯) । ସୋନପୁର ମହାନଦୀ ସ୍ଥିତ ଧର୍ମଶାଳା ଘାଟ ଠାରେ ଏହି ଅଘଟଣ ଘଟିଛି । ସୂଚନାରୁ ପ୍ରକାଶ ଯେ, ସ୍ଥାନୀୟ ହିଙ୍ଗମା ଅଞ୍ଚଳର ଦୁଇଜଣ ବ୍ୟକ୍ତି ମାଛ ଧରିବାକୁ ମହାନଦୀକୁ ଯାଉଥିବା ବେଳେ ମୃତକ ହିଙ୍ଗମା ଖଦାଳପଡ଼ାର ରମାକାନ୍ତ ମଧ୍ୟ ତାଙ୍କ ସାଙ୍ଗରେ ନଦୀକୁ ମାଛ ଧରିବାକୁ ଯାଇଥିଲେ । ରମାକାନ୍ତ ପେଶାରେ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ଆଜି ସେ ନଦୀକୁ ମାଛ ଧରିବା ତଥା ବୁଲିବାକୁ ଯାଇଥିଲେ । ରମାକାନ୍ତଙ୍କୁ ପାଖରେ ମାଛ ଧରିବାକୁ କହି ଉକ୍ତ ଦୁଇ ଯୁବକ ନଦୀ ଭିତରକୁ ଯାଇଥିଲେ । ପରେ ଦୁଇ ଯୁବକ ଫେରି ଦେଖିବାରୁ ରାମାକାନ୍ତ ପାଣିରେ ବୁଡି ଯାଇଥିଲେ । ପଥର ଚେପାରେ ଗୋଡ ଲାଗି ଯାଇ ଆଉ ବାହାରି ପାରି ନ ଥିବା ସୂଚନା ମିଳିଛି । ପରେ ସେମାନେ ଗାଁକୁ ଖବର ଦେଇଥିଲେ । ପରେ ପରିବାର ଲୋକେ ସୋନପୁର ପୋଲିସ ଥାନାରେ ଅଭିଯୋଗ ପରେ ପୋଲିସ ତୁରନ୍ତ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଖବର ଦେବା ସହ ସହରର ତେନ୍ତୁଳିଘାଟକୁ ପହଞ୍ଚିଥିଲେ । ପରେ ଅଗ୍ନିଶମ ବାହିନୀ କର୍ମଚାରୀ ମଟର ଲଞ୍ଚ ସାହାଯ୍ୟରେ ନଦୀ ଅପର ପଟକୁ ଯାଇ ମୃତ ଶରୀର ଉଦ୍ଧାର କରିବା ସହ ପୋର୍ଷ୍ଟମୋଟମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଏନେଇ ପୋଲିସ ୟୁଡି କେସରେ ଏକ ମାମଲା ରୁଜୁ କରିବା ସହ ଅଧୀକ ତଦନ୍ତ ଜାରି ରଖିଥିବା ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.