jayashree

କାଦୁଅ ରାସ୍ତା ଦେଇ ଯାତାୟାତ କରୁଛନ୍ତି ଦାବଜୁରୀ ଗ୍ରାମବାସୀ : ମନ୍ତ୍ରୀଙ୍କ ପାଖରେ ରାସ୍ତା ନିର୍ମାଣ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେ ବି ଅନେକ ଗାଁ ଲୋକେ ମୌଳିକ ସମସ୍ୟାରୁ ବଂଚିିତ ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅନେକ ଗ୍ରାମକୁ ପକ୍କା ସଡକ ମଧ୍ୟ ନ ଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଂଚାୟତ ଦାବଜୁରୀ ଗ୍ରାମବାସୀ ମାନେ ଦୀର୍ଘ ଦିନ ହେଲା ରାସ୍ତା ଅବ୍ୟବସ୍ଥାରେ ପଡି ରହିଥିବା ବେଳେ ବର୍ତ୍ତମାନ ବର୍ଷା ସମୟରେ କାଦୁଅ ପଚ୍‌ ପଚ୍‌ ରାସ୍ତାରେ ଯିବା ଆସିବା କରୁଛନ୍ତି । ଅନେକ ଥର ସ୍ଥାନୀୟ ପଂଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ଯାଏଁ ଗୁହାରି କରିଥିଲେ ସୁଦ୍ଧା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ରାସ୍ତା ସମସ୍ୟାରୁ ମୁକୁଳି ପାରୁନାହାନ୍ତି ଗ୍ରାମବାସୀ । ଏ ସଂପର୍କରେ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନା ମତେ ବସୁଧା ଯୋଜନା ମାଧ୍ୟମରେ ଉକ୍ତ ଗ୍ରାମବାସୀଙ୍କ ପାଇଁ ପାଇପ୍‌ ଲାଇନ୍‌ ଖୋଲା ଯାଇଥିଲା । କୁହାଯାଉଛି, ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ । ପାଇପ୍‌ ଲାଇନ୍‌ ଖୋଳି ତାହା ପୋତାଯାଇନାହିଁ । ଫଳରେ ରାସ୍ତା ଅବସ୍ଥା ବେହାଲ ହୋଇ ପଡିଛି । ଦାବଜୁରୀ ଗାଁ ସମେତ ଏକାଗୁଡି, ଜାମନାଲା ଗାଁବାସୀଙ୍କ ପାଇଁ ମଧ୍ୟ ଅନେକ ଅସୁବିଧା ହେଉଛି । ଏହାଫଳରେ ଦେଓଗାଁ ସ୍କୁଲକୁ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ହେଲେ ଦୀର୍ଘ ଘଂଟା ଧରି ପରିଶ୍ରମ ପରେ ଡାକ୍ତରଖାନାକୁ ପହଂଚାଇବାରେ ସଫଳ ହୋଇ ଥାଆନ୍ତି ଉକ୍ତ ଗ୍ରାମର ଲୋକେ । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ମଧ୍ୟ ଗ୍ରାମବାସୀମାନେ ନିବେଦନ କରିଛନ୍ତି ଯେ, ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀ ମାନଙ୍କ ପାଇଁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଥିବା ବେଳେ ଗ୍ରାମବାସୀଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି ପ୍ରକାରର ଦୃଷ୍ଟି ନ ଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.